ନୂଆପଡ଼ା, ୨୧ ଅଗଷ୍ଟ (ହି.ସ.)- ଗାଁ ସ୍କୁଲରେ ଉଚ୍ଚ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଦାବିରେ ସ୍କୁଲ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରତିବାଦ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କାପସି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ୱୀକୃତି ପ୍ରତ୍ୟାହାର ପରେ ସ୍କୁଲ ବନ୍ଦ ହୋଇଯିବାରୁ ଗାଁରେ ଅସନ୍ତୋଷ ଦେଖାଦେଇଛି। ସ୍କୁଲ ବନ୍ଦ ହେବାର ଦଶ ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ ପାଠପଢ଼ା ବ୍ୟବସ୍ଥା ହୋଇନଥିବାରୁ ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ହୋଇ ଗାଁ ଦାଣ୍ଡରେ ଖେଳକୁଦ କରି ଦିନ କାଟୁଥିବା ଅଭିଭାବକମାନେ କହିଛନ୍ତି।
କାପସି ଗାଁରେ ବନ୍ଦ ହୋଇଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ, ନଚେତ୍ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ସହ ବନ୍ଦ ହୋଇଥିବା ସ୍କୁଲର ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ମିଶାଇ ତୁରନ୍ତ ଶିକ୍ଷାଦାନ ଆରମ୍ଭ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଗାଁର ପଦରଭଟା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସିନାପାଲି ମେହେରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ପ୍ରାୟ ୪ କିଲୋମିଟର ଦୂର ଯାତ୍ରା କରିବାକୁ ପଡ଼ୁଛି। ଏହା ଫଳରେ ଛୋଟ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଭାବକମାନେ କହିଛନ୍ତି। ତେଣୁ କାପସି ଗାଁରେ ହିଁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍ଥାୟୀ ଶିକ୍ଷା ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ




