ଭୁବନେଶ୍ୱର, ୨୧ ଅଗଷ୍ଟ : ବିଶିଷ୍ଟ ସଙ୍ଗୀତଜ୍ଞ ଓ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ୮୮ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ସ୍ୱର୍ଗତଃ ପଟ୍ଟନାୟକ ଦୀର୍ଘ ଛଅ ଦଶନ୍ଧି ଧରି ଓଡିଆ ସଙ୍ଗୀତ ଜଗତରେ ଆଧିପତ୍ୟ ବିସ୍ତାର କରିଥିଲେ । ସେ ୨୦୦ରୁ ଅଧିକ ଚଳଚ୍ଚିତ୍ର ଓ ଅଣଚଳଚ୍ଚିତ୍ର କ୍ଷେତ୍ରରେ କଣ୍ଠଦାନ କରିଛନ୍ତି।
ତାଙ୍କ ମଧୁର ଗୀତ ସବୁ ଆଜି ମଧ୍ୟ ଓଡିଆ ଶ୍ରୋତାମାନଙ୍କ ହୃଦୟକୁ ସ୍ପର୍ଶ କରିଥାଏ ଏବଂ ତାଙ୍କ ଅବଦାନ ଓଡିଆ ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ସର୍ବଦା ଚିରସ୍ମରଣୀୟ ହୋଇ ରହିବ । ଏହି ଅତୁଳନୀୟ ସଙ୍ଗୀତ ସାଧକଙ୍କ ବିୟୋଗରେ ଓଡିଆ କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ପଟ୍ଟନାୟକଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ଅସଂଖ୍ୟ ପ୍ରଶଂସକଙ୍କୁ ଗଭୀର ସମବେଦନା ଜଣାଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତା ଓ ଓଡିଶାର ସମସ୍ତ ଜନତାଙ୍କ ତରଫରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।





