ନୂଆପଡ଼ା, ୨୧ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ସିନାପାଲି ଡିଗ୍ରୀ କଲେଜ ପରିସରରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ ଏମ୍ଏସ୍ଏମ୍ଇ ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଷ୍ଟାର୍ଟଅପ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସିନାପାଲି ବିଡିଓ କାର୍ମି ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ନୂତନ ଉଦ୍ଭାବନ ଓ ଉଦ୍ୟୋଗୀ ଚିନ୍ତାଧାରାର ସୁଯୋଗ ସୃଷ୍ଟି କରିବା ଦ୍ୱାରା ବିକଶିତ ଭାରତ ଗଠନର ସଂକଳ୍ପ ସାକାର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଯୁବବର୍ଗଙ୍କୁ କ୍ଷୁଦ୍ର, ମାଧ୍ୟମ ଓ ଅଣୁ ଶିଳ୍ପ କ୍ଷେତ୍ରରେ ଉଦ୍ୟୋଗ ସ୍ଥାପନ କରି ଆତ୍ମନିର୍ଭର ହେବା ପାଇଁ ଏଭଳି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲି, ଉପାଧ୍ୟକ୍ଷା ମୀନା ଘିବେଲା, ଡିଗ୍ରୀ କଲେଜର ଅଧ୍ୟକ୍ଷ ରଜନୀକାନ୍ତ ମେହେର ଓ ଅଧ୍ୟାପକ କ୍ଷେତ୍ରମୋହନ ଦୁରିଆ ପ୍ରମୁଖ ଯୋଗଦେଇଥିଲେ। ଏଥିରେ କଲେଜର ବହୁ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ




