ମାଲକାନଗିରି, ୨୧ ଅଗଷ୍ଟ (ହି.ସ.)- ପ୍ରାକୃତିକ ସମ୍ପଦରେ ଭରପୁର ମାଲକାନଗିରି ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାର ଅଭାବ ହେଉ କିମ୍ବା ଅନ୍ଧ ବିଶ୍ବାସ ଯୋଗୁଁ ହେଉ ଆଜି ବି ଜିଲ୍ଲାରେ ଯେ କୌଣସି ଚିକିତ୍ସା ପାଇଁ ପ୍ରଥମ ପସନ୍ଦ ହେଉଛି କ୍ବାକ୍ ଏବଂ ଦିଶାରୀ(ଗୁଣି ଗାରେଡି)। ସ୍ଥାନୀୟ ଜନସାଧାରଣ ଯେ କୌଣସି ରୋଗ ହେଉ ଚିକିତ୍ସା ପାଇଁ ଶିକ୍ଷିତ ଓ ପ୍ରଶିକ୍ଷିତ ଡାକ୍ତର ଅପେକ୍ଷା କ୍ବାକ୍ ଏବଂ ଦିଶାରି ପାଖକୁ ଯାଉଥିବା ତଥ୍ୟରୁ ଜଣାପଡିଛି ।ଫଳସ୍ବରୁପ ଜିଲ୍ଲାରେ ଶହ ଶହ ବେଆଇନ କ୍ଲିନିକ୍ ବେଧଡକ ଚାଲିଛି।
ଅପରପକ୍ଷରେ ମ୍ୟାଲେରିଆ, ରକ୍ତହୀନତା, ଝାଡ଼ାବାନ୍ତି, ଶିଶୁ ଓ ମାତୃ ମୃତ୍ୟୁହାର ଏବଂ ପୁଷ୍ଟିହିନତାକୁ ନେଇ ସଂଘର୍ଷ କରୁଥିବା ମାଲକାନଗିରି ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଏକ ବିକଳ ଚିତ୍ର ରିତିମତ ଦେଖିବାକୁ ମିଳିଛି। ସେହିଭଳି ଏନେଇ ଜୈନିକ ଡାକ୍ତର ସୂଚନା ପ୍ରଦାନ କରି କହିଛନ୍ତି ଯେ, ଜିଲ୍ଲାରେ ଡାକ୍ତରମାନଙ୍କ ରୋଜଗାର ଠାରୁ କ୍ବାକ୍ ମାନଙ୍କର ରୋଜଗାର ଅଧିକ। ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତର ଅଭାବରୁ କ୍ବାକମାନେ ନିଜକୁ ବିଶେଷଞ୍ଜ ଡାକ୍ତର ଭାବେ ପରିଚିତ କରାଇପାରିଛନ୍ତି ଏବଂ ଆସ୍ଥାଭାଜନ ହୋଇପାରିଛନ୍ତି ଫଳରେ ଏକ ବିପଜ୍ଜନକ ପରିସ୍ଥିତି ଜିଲ୍ଲାରେ ବହୁଦିନ ଧରି ସୃଷ୍ଟି ହୋଇଆସିଅଛି।
ଏନେଇ ସ୍ବାସ୍ଥ୍ୟ ବିଭାଗରେ ଡାକ୍ତର ଏବଂ କର୍ମଚାରୀ ଅଭାବ ଏବଂ ବେଆଇନ କ୍ଲିନିକ୍ ଉପରେ ଅଂକୁଶ ଲାଗୁନଥିବାରୁ ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ପରିବର୍ତ୍ତନ ହୋଇପାରୁନାହିଁ। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଜିଲ୍ଲାରେ ୩ ୮ ୨ ଡାକ୍ତର ଅନୁମୋଦିତ ହୋଇଥିବା ବେଳେ ମାତ୍ର ୧୪୪ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି ଏବଂ ୨ ୩ ୮ ଜଣ ଡାକ୍ତର ନାହାନ୍ତି। ଜିଲ୍ଲାରେ ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୩୦ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨ ୭ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରହିଛି। ଜିଲ୍ଲାରେ ୫୬ଟି ବିଶେଷଜ୍ଞ ଡାକ୍ତର ପଦବୀରୁ ମାତ୍ର ଅଛନ୍ତି ୧୪ ଜଣ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮ ୯ ଜଣ ଡାକ୍ତରଙ୍କ ମଧ୍ୟରୁ ଅଛନ୍ତି ୪୩ ଜଣ। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଠିକ୍ ଭାବେ ଡାକ୍ତର ରହୁ ନଥିବାରୁ ସ୍ଥାନୀୟ ଲୋକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି I ଏଭଳି ସ୍ଥିତିରେ ସ୍ଥାନୀୟ ଗରିବ ଅଧିବାସୀ ଡାକ୍ତରଙ୍କ ଅପେକ୍ଷା କ୍ବାକ୍ ଏବଂ ଦିଶାରିଙ୍କ ଉପରେ ମାତ୍ରାଧିକ ଭରସା କରୁଥିବା ଦେଖିବାକୁ ମିଳିଛି। ଏପରିକି ପ୍ରାଣ ଘାତକ ମ୍ୟାଲେରିଆ ଚିକିତ୍ସା ପାଇଁ କ୍ବାକ ଏବଂ ଦିଶାରି ଉପରେ ହିଁ ସ୍ଥାନୀୟ ଲୋକ ଭରସା କରି ମୃତ୍ୟୁ ମୁଖରେ ପଡୁଛନ୍ତି। ସରକାରଙ୍କ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟ ମାନଙ୍କରେ ମ୍ୟାଲେରିଆରେ ଆକ୍ରାନ୍ତ ହେଲାପରେ ପରିବାରବର୍ଗ ସେମାନଙ୍କ ପିଲାଙ୍କୁ ହଷ୍ଟେଲରୁ ବାହାର କରି ନିଜ ଘରକୁ ଚିକିତ୍ସା ପାଇଁ ନେଇ କ୍ବାକ୍ ଏବଂ ଦିଶାରିର ଶରଣରେ ପସିଥାନ୍ତି।
ଏଭଳି ଘଟଣାରେ ଗତ ୨ ବର୍ଷ ମଧ୍ୟରେ ୭ ରୁ ଊର୍ଧ୍ବ ଛାତ୍ର ଛାତ୍ରୀ ମୃତ୍ୟୁବରଣ ମଧ୍ୟ କରିଛନ୍ତି। ଛାତ୍ର ଛାତ୍ରୀଙ୍କ ମୃତ୍ୟୁବରଣ କରିଥିବା ଘଟଣାରେ ତଦନ୍ତ କରିଥିବା ସ୍ବାସ୍ଥ୍ୟ, ଶିକ୍ଷା ଏବଂ ମଙ୍ଗଳ ବିଭାଗର ଅଧିକାରୀଙ୍କୁ ପଚାରିବାରୁ କହିଛନ୍ତି ମ୍ୟାଲେରିଆ ଆକ୍ରାନ୍ତ ଥରେ ଔଷଧ ଖାଇଲା ପରେ ମ୍ୟାଲେରିଆ ମୃତ୍ୟୁ ଆଶଙ୍କା ୯୫ ପ୍ରତିଶତ କମିଯାଇଥାଏ। କିନ୍ତୁ ପିଲାମାନେ ଘରକୁ ଯାଇ ଯଦି ଗୁଣିଗାରେଡି କିମ୍ବା ଦିଶାରୀ ଦେଇଥବା ଔଷଧ ସେବନ କରନ୍ତି ତେବେ ତାହା ମୃତ୍ୟୁର କାରଣ ଅନ୍ୟପ୍ରକାର ହୋଇଥାଏ। ଆକ୍ରାନ୍ତ ମ୍ୟାଲେରିଆ କିଟ୍ଏସିଟି-ଏସ ପି(ଆର୍ଟେସୁନେଟ କମ୍ବି ପ୍ୟାକ) ଖାଇଲା ପରେ ପୁଷ୍ଟିକର ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି କିନ୍ତୁ ପୁଷ୍ଟିକର ଖାଦ୍ୟ ଅଭାବରୁ ମ୍ୟାଲେରିଆ ଆକ୍ରାନ୍ତ ମାନେ ସଂକଟରେ ପଡିଥାନ୍ତି। ଡାକ୍ତରଙ୍କ ତତ୍ବାବଧାନରେ ରୋଗି ରହିଲେ ଗୁରୁତ୍ତର ରୋଗିଙ୍କ ଜୀବନ ବଞ୍ଚିବାର ଅଧିକା ସଂଭାବନା ରୁହେ । କିନ୍ତୁ ଜିଲ୍ଲାରେ ନିରକ୍ଷରତା ହାର ଅଧିକା ରହିଥିବା ଏବଂ ଏଥିପାଇଁ କୁସଂସ୍କାର ଏବଂ ଅନ୍ଧ ବିଶ୍ବାସ ପ୍ରଥା ଅଧିକା ପ୍ରଚଳିତ ହେଇଥିବାରୁ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ତର ପ୍ରଭାବ ପକାଉଛି ବୋଲି ସୂଚନାରୁ ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ




