ନୂଆପଡ଼ା,୨୧ ଅଗଷ୍ଟ - ନୂଆପଡ଼ା ଜିଲ୍ଲାରେ ଖଣିଜ ସମ୍ପଦର ସୁଚାରୁ ପରିଚାଳନା, ରାଜସ୍ୱ ଆଦାୟ ବୃଦ୍ଧି ଏବଂ ବେଆଇନ ଖଣିଜ ଉତ୍ତୋଳନ ଉପରେ ରୋକ୍ ଲଗାଇବା ନେଇ ଦ୍ୱିତୀୟ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ (ଡିଏଲ୍ଟିଏଫ୍) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl
ବୈଠକ ଆରମ୍ଭରେ ଜିଲ୍ଲା ଖଣି ଅଧିକାରୀ ଦିଲୀପ କୁମାର ମହାନା ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଖଣିଜ ରାଜସ୍ୱ ଆଦାୟ, ବେଆଇନ ଖଣିଜ ଉତ୍ତୋଳନ ଓ ପରିବହନ ବିରୋଧରେ ଚଢ଼ାଉ, ଯାନବାହନ ଜବତ ଓ ମାମଲା ରୁଜୁ, ଜରିମାନା ଆଦାୟ, ଇ-ଲଟେରୀ ମାଧ୍ୟମରେ ଖଣିଜ ସ୍ରୋତ ନିଲାମ, ନୂତନ ଡିଏସଆର ଅନୁଯାୟୀ ଖଣିଜ ସ୍ରୋତର ସ୍ଥିତି ଏବଂ କ୍ରସର ୟୁନିଟ୍ ର ପଞ୍ଜୀକରଣ ଓ ଯାଞ୍ଚ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଖଣିଜ ରାଜସ୍ୱ ବାବଦରେ ୨ କୋଟି ୯୬ ଲକ୍ଷ ୭୩ ହଜାର ୫୫୨ ଟଙ୍କା ଏବଂ ୨୦୨୫-୨୬ରେ ୨ କୋଟି ୧ ଲକ୍ଷ ୬୫ ହଜାର ୯୮୮ ଟଙ୍କା ଆଦାୟ ହୋଇଛି। ୨୦୨୬-୨୭ ଆର୍ଥିକ ବର୍ଷରେ ୩୧ ଜୁଲାଇ ସୁଦ୍ଧା ୭୦ ଲକ୍ଷ ୨୬ ହଜାର ୬୧୯ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ୨୦୨୬-୨୭ରେ ୨୦ ଅଗଷ୍ଟ ସୁଦ୍ଧା ୯୦ଟି ଚଢ଼ାଉ କରାଯାଇ ୪୦ଟି ଯାନ ଜବତ ଏବଂ ୩୫ ଲକ୍ଷ ୪୬ ହଜାର ୩୧୬ ଟଙ୍କା ଜରିମାନା ଆଦାୟ ହୋଇଛି।
ଇ-ଲଟେରୀ ମାଧ୍ୟମରେ ନିଲାମ ପାଇଁ ୮ଟି ବାଲି ଖାଦାନ ଓ ୧୬ଟି ପଥର ଖାଦାନ ସମେତ ମୋଟ ୨୪ଟି ଖଣିଜ ଖାଦାନ ପ୍ରସ୍ତୁତ ରହିଥିବା ବୈଠକରେ ସୂଚନା ଦିଆଯାଇଥିଲା। ନୂତନ ଜିଲ୍ଲା ସର୍ଭେ ରିପୋର୍ଟ (ଡିଏସଆର) ଅନୁଯାୟୀ ଜିଲ୍ଲାରେ ୩୯ଟି ବାଲି ଖାଦାନ ମଧ୍ୟରୁ ୧୩ଟି କାର୍ଯ୍ୟକ୍ଷମ ଓ ୨୬ଟି ଅକାର୍ଯ୍ୟକ୍ଷମ ରହିଛି। ସେହିପରି, ୪୯ଟି ପଥର ଖାଦାନ ମଧ୍ୟରୁ ୭ଟି କାର୍ଯ୍ୟକ୍ଷମ ଓ ୪୨ଟି ଅକାର୍ଯ୍ୟକ୍ଷମ ରହିଛି। ବର୍ଷା ଋତୁ ଯୋଗୁଁ ବାଲି ଖାଦାନଗୁଡ଼ିକରୁ ଉତ୍ତୋଳନ ବନ୍ଦ ରହିଥିବା ମଧ୍ୟ ବୈଠକରେ ସୂଚନା ଦିଆଯାଇଥିଲା।
କ୍ରସର ୟୁନିଟ୍ଗୁଡ଼ିକର ସ୍ଥିତି ସମୀକ୍ଷା କରି ଜିଲ୍ଲାପାଳ ସମସ୍ତ କ୍ରସର ୟୁନିଟ୍ ର ଯାଞ୍ଚ ଓ ନିରୀକ୍ଷଣକୁ ଗୁରୁତ୍ୱ ଦେଇଥିଲେ। ନିୟମ ଉଲ୍ଲଂଘନ କରୁଥିବା କ୍ରସର ୟୁନିଟ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକସ୍ଥଳେ ସେଗୁଡ଼ିକୁ ସିଲ୍ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଖଣିଜ ଉତ୍ତୋଳନ, ପରିବହନ ଓ ଚୋରାଚାଲାଣ ବିରୋଧରେ ଏନ୍ଫୋର୍ସମେଣ୍ଟ୍ କାର୍ଯ୍ୟକୁ ଆହୁରି ଜୋରଦାର କରିବାକୁ ମଧ୍ୟ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ।
ଏଥିସହ ଇ-ଟେଣ୍ଡର ଓ ଇ-ଲଟେରୀ ପ୍ରକ୍ରିୟାକୁ ନିୟମାନୁସାରେ ଓ ସ୍ୱଚ୍ଛତାର ସହ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ବନଖଣ୍ଡ ଅଧିକାରୀ ସମୀର କୁମାର ସାହୁ, ଭୂତତ୍ତ୍ୱବିତ୍ ସୌମ୍ୟ କୁମାର ମହାପାତ୍ର, ଡେପୁଟି ଏସ୍ପି (ଡିଆଇବି) ରମାକାନ୍ତ ଜେନା, ଏମ୍ଭିଆଇ ଉପେନ୍ଦ୍ର ପୁସିକାଙ୍କ ସମେତ ବିଭାଗର ଅଧିକାରୀ ଓ ଟାସ୍କଫୋର୍ସ ସଦସ୍ୟମାନେ ଉପସ୍ଥିତ ଥିଲେ।




