ଝାରସୁଗୁଡ଼ା, ୧୮ ଜୁନ୍ - ବେଲପାହାଡ଼ ପୌରପରିଷଦରେ ରାଜନୈତିକ ସମୀକରଣ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପୌରପରିଷଦ ଅଧ୍ୟକ୍ଷ ନିମାଇଁ ଚରଣ ପଣ୍ଡାଙ୍କ ବିରୋଧରେ ଆସନ୍ତା ୨୪ ଜୁନ୍ ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ୍ ଗ୍ରହଣ କରାଯିବ। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ପକ୍ଷରୁ ଆବଶ୍ୟକ ନୋଟିସ୍ ଜାରି କରାଯାଇଛି।
ସୂଚନା ଅନୁଯାୟୀ, ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇପଡ଼ିଥିବା ଅଭିଯୋଗ ଆଣି ପୌରପରିଷଦର ୧୯ ଜଣ କାଉନସିଲରଙ୍କ ମଧ୍ୟରୁ ୧୪ ଜଣ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଛନ୍ତି। ଏହାକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବୈଠକ ଆହ୍ୱାନ କରାଯାଇଛି।
ବେଲପାହାଡ଼ ପୌର ସଭାଗୃହରେ ଆୟୋଜିତ ହେବାକୁଥିବା ଏହି ବୈଠକରେ ଝାରସୁଗୁଡ଼ା ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସଞ୍ଜୀବ କୁମାର ପଟେଲ ଅଧ୍ୟକ୍ଷତା କରିବେ। ଅନାସ୍ଥା ଭୋଟ୍ର ଫଳାଫଳ ଉପରେ ବେଲପାହାଡ଼ ପୌର ରାଜନୀତିର ଭବିଷ୍ୟତ ନିର୍ଭର କରୁଥିବାରୁ ସ୍ଥାନୀୟ ରାଜନୈତିକ ମହଲର ନଜର ଏବେ ଏହି ଭୋଟିଂ ଉପରେ ରହିଛି।





