ଭଦ୍ରକ : ବୈତରଣୀ ଓ ଏହାର ଶାଖାନଦୀ ଗେଙ୍ଗୁଟିରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସାମାନ୍ୟ କମିଛି। ବୈତରଣୀ ନଦୀର ଆଖୁଆପଦାଠାରେ ଜଳ ସ୍ତର ବିପଦ ସଂକେତ ତଳେ ରହିଛି। ଏଠାରେ ବିପଦ ସଂକେତ ସ୍ତର ୧୮.୩୩ ମିଟର ଥିବାବେଳେ ସଂଧ୍ୟା ୬ଟା ସୁଦ୍ଧା ୧୮.୨୦ ମିଟର ରହିଥିବା ଜଣାପଡ଼ିଛି। ଚଳିତ ବନ୍ୟାରେ ଧାମନଗର ବ୍ଲକର ୩୦ଟି ପଂଚାୟତର ୧୪୩ଟି ଗାଁର ୧ ଲକ୍ଷ ୬୦ ହଜାର ୨୦୩ ଜଣ ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଏହାସହିତ ଧାମନଗର ଏନ୍ଏସି, ଧୁଷୁରୀ ଏନ୍ଏସି ଏବଂ ଲଗାଣ ବର୍ଷା ଯୋଗୁଁ ଜଅ ନଦୀର ବନ୍ୟା ଜଳ ପଶି ଧାମନଗର ଏନ୍ଏସିର ୬ରୁ ଉର୍ଦ୍ଧ୍ୱ ୱାର୍ଡ ଜଳମଗ୍ନ ହୋଇପଡ଼ିଛି। ଦ୍ୱିତୀୟ ଦିନରେ ବି ଜଳବନ୍ଦୀ ସ୍ଥିତି ସମାନ ରହିଛି।
ଆଜି ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହୁଥିବା ଯୋଗୁଁ ଜଳ ନିଷ୍କାସନ ହେବାରେ ବିଳମ୍ବ ହେଉଛି। ଏଣୁ ବୁଧବାର ତୁଳନାରେ ଧାମନଗର ଅଞ୍ଚଳରେ ମାତ୍ର ୩ ଫୁଟ୍ ଜଳ ହ୍ରାସ ପାଇଛି। ବନ୍ୟା ଦ୍ୱାରା ଆନନ୍ଦପୁର, ଖଡ଼ିପଦା, ସୋହଡ଼ା, କରଦା, ପଧାନି, ମୁସ୍ତଫାପୁର, ଅର୍ଜ୍ଜୁନପୁର, ହସନାବାଦ, ଭଟ୍ଟସାହି, ପାଳସାହି, କଟସାହି, ଖପରପଦା, ବମକୁରା, କାଶିମପୁର, କୋଠାର, ଗଡ଼ିଆଳି ଓ ଅସୁରାଳି ପଂଚାୟତ ସବୁଠାରୁ ଅଧିକ
କ୍ଷତିଗ୍ରସ୍ତ ହୋଇଛି। ସେହିପରି ଅଞ୍ଚଳର ୩୪ ହଜାରରୁ ଅଧିକ ପଶୁସମ୍ପଦ ଜଳବନ୍ଦୀ ଅବସ୍ଥାରେ
ରହିଛନ୍ତି। ଗୃହପାଳିତ ପଶୁଙ୍କ ଚିକିତ୍ସା ଓ ସେବା ପାଇଁ ୩ଟି ପ୍ରାଣୀଚିକିତ୍ସକ ଟିମ୍କୁ
ନିୟୋଜିତ କରାଯାଇଛି। ବନ୍ୟା ଯୋଗୁଁ ଧାମନଗର, ଧୁଷୁରୀ, ଦୋବଲ ଓ ଅସୁରାଳି ଜୋନର ଅନେକ ଅଂଚଳରେ ବିଛିନ୍ନ ହୋଇଥିବା ଯୋଗାଯୋଗ ବ୍ଯବସ୍ଥାରେ ସୁଧାର
ଆସିଛି। ଦୋବଲ ଓ ମୁସ୍ତଫାପୁର ବଜାରରୁ ବନ୍ଯାଜଳ ହ୍ରାସ ପାଇଛି।
ଘୋଡ଼ାଗଣ୍ଡ ନାଳ ନିକଟରେ ପାଣି କମିଥିବାରୁ ଧାମନଗରରୁ ଦୋବଲ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଛି। ତେବେ ଖଡ଼ିପଦା, ଆନନ୍ଦପୁର, ସୋହଡ଼ା ଏବଂ ଯାଜପୁର ଟାଉନ୍କୁ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି।କାଞ୍ଜିଆପାଳର ୩ଟି ଏସକେପ୍ ଦେଇ ପାଣି ପ୍ରବାହିତ ହେଉଥିବାରୁ ଖଡ଼ିପଦା-ଆନନ୍ଦପୁର, ଦୋବଲ-ଷେଣ୍ଢପୁର ଓ ବେଦପୁର-ସୋହଡ଼ା ରାସ୍ତାରେ ଯାତାୟାତ ବନ୍ଦ ରହିଛି। ତେବେ ଧାମନଗର-ଫଳପୁର ରାସ୍ତା ବୁଡ଼ିବାରୁ ଦଳାଙ୍ଗ ଓ ନଦୀଗାଁ ପଂଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି। କୋଠାରରୁ ଆରଡ଼ି ସଂଯୋଗ କରୁଥିବା ରାଜ୍ୟ ରାଜପଥ କୋଠାର ଛକ, ବାଲିଚତୁରି, ସୂରଜପୁର, ବେତାଳିଗାଁ ଓ ପତ୍ରିସାହି ନିକଟରେ ବୁଡ଼ି ଯାଇଥିବାରୁ ଗ୍ରାମଗୁଡ଼ିକ ଜଳବନ୍ଦୀ ହୋଇପଡ଼ିଛନ୍ତି।
ମଙ୍ଗଳପୁର-କଟସାହି ରାସ୍ତାରେ ମଧ୍ୟ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଧାମନଗରରୁ କୋଠାର ରାସ୍ତାରେ ବି ଗମନାଗମନ ବନ୍ଦ ରହିଛି। ବୟାଙ୍ଗଡିହିର କମାରବନ୍ଧ ଓ ଷୋଳଗାଁରେ ରାସ୍ତା ବୁଡ଼ି ରହିଛି। ଧାମନଗରର ତଳିଆ ଅଂଚଳରୁ ୧୫ ହଜାର ୪୬୬ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ବନ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାରଠାରୁ ଆଜି ପର୍ଯ୍ୟନ୍ତ ୩ ଦିନ ପାଇଁ ୧୪୦ଟି କେନ୍ଦ୍ରରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ରାୟ ୨୦ ହଜାର ଲୋକଙ୍କୁ ବିତରଣ କରାଯାଇଛି। ଏହାସହିତ ପାଣି ଘେରରେ ଥିବା ବିପନ୍ନଙ୍କ ପାଖରେ ୯୩ କ୍ୱିଂଟାଲ ଚୁଡ଼ା ଏବଂ ୧୦ କ୍ୱିଂଟାଲ ଚିନି ଓ ଗୁଡ଼ ପହଂଚାଯାଇଛି। ବନ୍ୟା ଯୋଗୁଁ ଚାଷକାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ବର୍ତମାନ ସୁଦ୍ଧା ସଠିକ ଆକଳନ କରାଯାଇ ନଥିଲେ ହେଁ ପ୍ରାଥମିକ ସୂଚନା ଅନୁସାରେ ୪୦ ହଜାର ହେକ୍ଟରରୁ ଅଧିକ ଚାଷଜମି ବନ୍ୟା ଜଳରେ ବୁଡ଼ି ରହିଛି।
ବର୍ତମାନ ତଳା ପକାଇବାର ସମୟ ହୋଇଥିବାରୁ ଅନେକ ସ୍ଥାନରେ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଧୁଷୁରୀ ଓ ଅସୁରାଳି ଜୋନରେ ମନ୍ତ୍ରୀଙ୍କ ରିଲିଫ୍ ବଂଟନ। ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ସକାଳୁ ଧୁଷୁରୀ ଓ ଅସୁରାଳି ଅଂଚଳର ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରି ସ୍ଥିତି ପରିଦର୍ଶନ କରିଛନ୍ତି। ସକାଳେ ଅସୁରାଳିର ମଙ୍ଗଳପୁରଠାରେ ପହଂଚି ସେଠାରୁ କଟସାହି, ଖପରପଦା ପଂଚାୟତର ପ୍ରଭାବିତଙ୍କ ପାଖରେ ପହଂଚିଥିଲେ। ଶ୍ରୀଗଙ୍ଗା ଗ୍ରାମର ଲୋକଙ୍କ ପାଖରେ ପହଂଚି ଦୁଖ ସୁଖ ବୁଝିଥିଲେ। ଜଳମଗ୍ନ ଅଂଚଳରେ ବିପନ୍ନଙ୍କୁ ତୁରନ୍ତ ରନ୍ଧାଖାଦ୍ୟ, ପିଇବା ପାଣି, ଚୁଡ଼ା, ମୁଢ଼ି, ବିସ୍କୁଟ, ଚିନି ଓ ଗୁଡ଼ ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ବିପନ୍ନଙ୍କ ପାଖରେ ପହଂଚୁଛି ରନ୍ଧାଖାଦ୍ୟ ଧାମନଗର ବ୍ଲକର ୧୪୦ଟି ସ୍ଥାନରେ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ଜଳମଗ୍ନ ଗାଁଗୁଡ଼ିକରେ ବ୍ଲକ ପ୍ରଶାସନ ପକ୍ଷରୁ ରୋଷେଇ କରାଯାଇ ଆଜି ପ୍ରାୟ ୨୦ ହଜାର ଲୋକଙ୍କୁ ଖାଦ୍ୟ ପରଷା ଯାଇଛି। ଖଡ଼ିପଦା ପଂଚାୟତର ଦକ୍ଷିଣକୁରୁଆ, ମୁଥାନଗର, କାଞ୍ଜିଆପାଳ, କରଦାର ଖରାଖାଇ, ପଧାନି, ସୋହଡ଼ା, ଅର୍ଜ୍ଜୁନପୁର, ପାଳସାହି, କଟସାହି, ଖପରପଦା, ଅସୁରାଳି, ହସନାବାଦ, ଫଳପୁର ପ୍ରଭୃତି ଅଂଚଳରେ ରିଲିଫ୍ କେନ୍ଦ୍ର ଚାଲୁ ରହିବା ସହ ପିଇବା ପାଣି ବୋତଲ ଯୋଗାଇ ଦିଆଯାଉଛି। ମୁସ୍ତଫାପୁର ଘୋଡ଼ାଗଣ୍ଡ ଢିଅରେ ଆଶ୍ରୟ ନେଇଥିବା ଲୋକଙ୍କୁ ମନ୍ତ୍ରୀ ନିଜେ ରନ୍ଧା ଖାଦ୍ୟ ପରଷିଥିବା ଦେଖିବାକୁ ମିଳିଥିଲା।





