ଝାରସୁଗୁଡ଼ା :- ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ପୋଖରାସାହ୍ଲେ ଗ୍ରାମରେ ଥିବା ବନ୍ଧବାହାଲ ପୋଖରୀର ହିଡ଼ ଭାଙ୍ଗିଯିବା ଫଳରେ ଚାଷଜମି ଜଳମଗ୍ନ ହେବା ସହିତ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅଭିଯୋଗ ହୋଇଛି। ପୋଖରୀର ପାଣି ସହ ବହୁ ପରିମାଣର ମାଟି ବୋହି ଆସି ଚାଷଜମିରେ ଜମିଯିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସେହିପରି ପୋଖରୀରେ ଚାଷ କରାଯାଇଥିବା ମାଛ ମଧ୍ୟ ପାଣି ସହ ଭାସିଯାଇଥିବାରୁ ମାଛଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ହୋଇଥିବା ପ୍ରବଳ ବର୍ଷାରେ ପୋଖରୀର ଜଳସ୍ତର ଦ୍ରୁତ ଭାବେ ବୃଦ୍ଧି ପାଇଥିଲା। ଅତ୍ୟଧିକ ଜଳଚାପ ସହିପାରିନଥିବାରୁ ବୁଧବାର ବନ୍ଧବାହାଲ ପୋଖରୀର ହିଡ଼ ଭାଙ୍ଗିଯାଇଥିଲା। ଫଳରେ ପୋଖରୀର ସମସ୍ତ ପାଣି ତଳିଆ ଅଞ୍ଚଳକୁ ମାଡ଼ିଯାଇ କନ୍ଦର୍ପ ସାହୁ ଓ ଜୟଦେବ ସାହୁଙ୍କ ଚାଷଜମିରେ ପ୍ରବେଶ କରିଥିଲା।
ପାଣି ସହ ଆସିଥିବା ବହୁ ପରିମାଣର ମାଟି ଚାଷଜମିରେ ପୋତି ହୋଇଯାଇଥିବାରୁ ଜମିର ଉର୍ବରତା ଓ ଫସଲ ଚାଷ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ଉକ୍ତ ଜମିରେ ପୋଖରୀ ସଦୃଶ ପାଣି ଜମି ରହିଥିବାରୁ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। କ୍ଷତିଗ୍ରସ୍ତ ଚାଷୀମାନେ କହିଛନ୍ତି ଯେ, ଜମିରୁ ପାଣି ନିଷ୍କାସନ ଓ ମାଟି ଅପସାରଣ ନ କରାଗଲେ ଆଗାମୀ ଚାଷ ମୌସୁମୀରେ ମଧ୍ୟ ସେମାନେ ଫସଲ କରିବାରେ ଅସୁବିଧାର ସମ୍ମୁଖୀନ ହେବେ।
ଅନ୍ୟପକ୍ଷରେ, ଏହି ପୋଖରୀକୁ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଠିକାରେ ନେଇ ମାଛଚାଷ କରୁଥିଲେ। ହିଡ଼ ଭାଙ୍ଗିଯିବା ପରେ ପୋଖରୀର ପାଣି ସମ୍ପୂର୍ଣ୍ଣ ବାହାରିଯିବା ସହ ଚାଷ କରାଯାଇଥିବା ମାଛ ମଧ୍ୟ ଭାସିଯାଇଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ବ୍ୟାପକ ଆର୍ଥିକ କ୍ଷତି ସହିଛନ୍ତି।
ଘଟଣାକୁ ନେଇ କ୍ଷତିଗ୍ରସ୍ତ ଚାଷୀ ଓ ମାଛଚାଷୀମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। କ୍ଷୟକ୍ଷତିର ସଠିକ୍ ଆକଳନ କରି ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବା ସହ ପୋଖରୀର ଭାଙ୍ଗିଯାଇଥିବା ହିଡ଼ର ସ୍ଥାୟୀ ମରାମତି କରିବାକୁ ସେମାନେ ଦାବି କରିଛନ୍ତି। ସ୍ଥାନୀୟ ଲୋକମାନେ ମଧ୍ୟ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପୋଖରୀ ବନ୍ଧର ସୁଦୃଢ଼ୀକରଣ ଓ ନିୟମିତ ରକ୍ଷଣାବେକ୍ଷଣ ଉପରେ ପ୍ରଶାସନ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି।





