ନୂଆଦିଲ୍ଲୀ, ୧୮ ଜୁନ୍ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସ ଗସ୍ତ ସମୟରେ ଅନେକ ଅଗ୍ରଣୀ ବିଶ୍ୱସ୍ତରୀୟ କମ୍ପାନୀର ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କୁ ଭେଟି ଭାରତରେ ନିବେଶ ସୁଯୋଗ ଏବଂ ବ୍ୟବସାୟ ସମ୍ପ୍ରସାରଣ ଯୋଜନା ଉପରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ ଅଗ୍ରଣୀ ନିର୍ମାଣ ସାମଗ୍ରୀ କମ୍ପାନୀ ସେଂଟ-ଗୋବେନର ଅଧ୍ୟକ୍ଷ ତଥା ସିଇଓ ବେନୋଇଟ୍ ବାଜିନଙ୍କୁ ଭେଟିଥିଲେ । ନିର୍ମାଣ ସାମଗ୍ରୀ ଏବଂ ଭିତିଭୂମି କ୍ଷେତ୍ରରେ ସୁଯୋଗ, ବିଶେଷ କରି ସ୍ଥାୟୀ ବିକାଶ ସମ୍ବନ୍ଧୀୟ ଦିଗ ଉପରେ ଆଲୋଚନା କରାଯାଇଥିଲା । ଭାରତରେ ସେଂଟ-ଗୋବେନ୍ଙ୍କ ଦୃଢ଼ ଉପସ୍ଥିତି ଏବଂ ନିବେଶକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଏହା ଭାରତୀୟ ଯୁବକମାନଙ୍କ ପାଇଁ ନିଯୁକ୍ତି ଏବଂ ସୁଯୋଗ ସୃଷ୍ଟି କରୁଛି । ବାଜିନ ଭାରତରେ ନିବେଶ ଏବଂ ସମ୍ପ୍ରସାରଣ ପାଇଁ କମ୍ପାନୀର ଭବିଷ୍ୟତ ଯୋଜନା ଉପରେ ଆଲୋକପାତ କରିଥିଲେ ।
ପ୍ରଧାନମନ୍ତ୍ରୀ ରେଳ ପରିବହନ ଏବଂ ମୋବିଲିଟି କ୍ଷେତ୍ରର ପ୍ରମୁଖ କମ୍ପାନୀ ଆଲର୍ଷ୍ଟମ ସିଇଓ ମାର୍ଟିନ ସିୟୋନଙ୍କୁ ମଧ୍ୟ ଭେଟିଥିଲେ । ଏହି ଅବସରରେ ରେଳବାଇର ଆଧୁନିକୀକରଣ ଏବଂ ଗତିଶୀଳତା କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା । ଭାରତରେ ଅଲ୍ର୍ଷ୍ଟମ୍ ଦ୍ୱାରା କରାଯାଇଥିବା ନିବେଶ ଏବଂ ଉତ୍ପାଦନ କାର୍ଯ୍ୟକଳାପକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ନିଯୁକ୍ତି ସୃଷ୍ଟି କରିବା ସହିତ ଭାରତୀୟ ରେଳ କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ।





