ନୂଆଦିଲ୍ଲୀ, ୨୧ ଅଗଷ୍ଟ : - କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶୁକ୍ରବାର ଦିନ ଅଷ୍ଟ୍ରେଲିଆର ଜଳବାୟୁ ପରିବର୍ତନ ଏବଂ ଶକ୍ତି ମନ୍ତ୍ରୀ କ୍ରିସ୍ ବୋୱେନଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରିଛନ୍ତି । ଏହି ବୈଠକରେ ଚଳିତ ବର୍ଷର ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ (ସିଓପି-୩୧) ପୂର୍ବରୁ ଜଳବାୟୁ ପରିବର୍ତନ ଏବଂ ବିଶ୍ୱ ଜଳବାୟୁ ଆଲୋଚନା ସମ୍ବନ୍ଧୀୟ ପ୍ରମୁଖ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରାଯାଇଥିଲା ।
ଏହି ବୈଠକରେ ଦୁଇ ନେତା ଜଳବାୟୁ ପରିବର୍ତନର ଆହ୍ୱାନର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ସହଯୋଗ ଏବଂ ପ୍ରଭାବଶାଳୀ ଜଳବାୟୁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜଳବାୟୁ ପରିବର୍ତନର ଆହ୍ୱାନର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ପ୍ରୟାସରେ ଭାରତ ନିରନ୍ତର ସମାଧାନର ଅଂଶବିଶେଷ ହୋଇଛି ।
ସେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇ କହିଥିଲେ ଯେ, ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ସମସ୍ତ ଦେଶ ମଧ୍ୟରେ ସହଯୋଗ ଏବଂ ସାମୂହିକ ପ୍ରୟାସ ଜରୁରୀ । ବିଶ୍ୱ ଜଳବାୟୁ ଲକ୍ଷ୍ୟ ହାସଲ ଦିଗରେ ଭାରତ ନିଜର ଦାୟିତ୍ୱବାନ ଭୂମିକା ନିର୍ବାହ କରିବା ଜାରି ରଖିବ ।
ଅଷ୍ଟ୍ରେଲିଆର ଜଳବାୟୁ ପରିବର୍ତନ ଏବଂ ଶକ୍ତି ମନ୍ତ୍ରୀ କ୍ରିସ୍ ବୋୱେନ ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ଦୀର୍ଘକାଳୀନ ସମାଧାନର ବିକାଶ ଦିଗରେ ଭାରତର ସକରାତ୍ମକ ଆଭିମୁଖ୍ୟ ଏବଂ ସହଯୋଗୀ ଭୂମିକାକୁ ପ୍ରଶଂସା କରିଥିଲେ ।




