ଇମ୍ଫାଲ - ମଣିପୁର ପୋଲିସ୍, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍. ଆଇ. ଏ.) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସି.ଆର.ପି.ଏଫ୍.) ଏକ ମିଳିତ ଅପରେସନରେ ମଇ ୧୩ ତାରିଖରେ ଲେଇଲୋନ୍ ବାଇଫେଇ ଗ୍ରାମରେ ଛଅ ଜଣ ନାଗା ଗ୍ରାମବାସୀଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛନ୍ତି ।
ମଣିପୁର ପୋଲିସର କହିବା ଅନୁଯାୟୀ, ଗୁଇନ୍ଦା ସୂଚନା ଆଧାରରେ ଶୁକ୍ରବାର ସକାଳେ ଏହି ଅପରେସନ ଆରମ୍ଭ କରାଯାଇଥିଲା । ସୁରକ୍ଷା ବାହିନୀ ଲେଇଲୋନ୍ ବାଇଫେଇ ଗ୍ରାମରେ ଏକ ଟାର୍ଗେଟ ଅପରେସନ କରିଥିଲେ, ଯାହା ପରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିଲା । ଗିରଫ ବ୍ୟକ୍ତିମାନେ ହେଲେ ପ୍ରଦୀପ ଏବଂ ତାଙ୍କ ପତ୍ନୀ ଆୟେଙ୍ଗବି ବୋଲି ଚିହ୍ନଟ କରାଯାଇଛି । ଉଭୟ ଲେଇଲୋଁ ବାଇଫେଇ ଗାଁର ବାସିନ୍ଦା ବୋଲି କୁହାଯାଉଛି । ଅପରେସନ ସମୟରେ ତଲାସୀ ଏବଂ ଜବତର କାର୍ଯ୍ୟାନୁଷ୍ଠାନ କରାଯାଇଥିଲା ଏବଂ ବର୍ତମାନ ସମସ୍ତ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଚାଲିଛି ବୋଲି ପୋଲିସ କହିଛି ।
ଏହି ମାମଲା ମଇ ୧୩ ରେ ଲେଇଲୋନ୍ ବାଇଫେଇ ଗ୍ରାମରେ ଛଅ ଜଣ ନାଗା ଲୋକଙ୍କ ହତ୍ୟା ସହ ଜଡ଼ିତ । ତଦନ୍ତ ଜାରି ରହିଥିବାରୁ ଅଧିକାରୀମାନେ ସବିଶେଷ ତଥ୍ୟ ଦେଇନାହାନ୍ତି ।






