ଭୁବନେଶ୍ୱର, ୧୮ ଅଗଷ୍ଟ (ହି.ସ.)- ପାଟଣା ବ୍ଲକର ଯମୁନାପଶି ଓ ଚେମଣା ପଂଚାୟତ ଅଂଚଳରେ ପ୍ରସ୍ତାବିତ ଜେଏସ୍?ଡବ୍ଲୁ/ପୋସ୍କୋ ଷ୍ଟିଲ ପ୍ଲାଂଟକୁ ବିରୋଧ କରି ୭ ଦିନିଆ ପଦଯାତ୍ରା କରିବ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ମଙ୍ଗଳବାର ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅଂଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲା।
ଯୁବ କଂଗ୍ରେସର ଦାବି ଅନୁଯାୟୀ, ପ୍ରସ୍ତାବିତ ପ୍ଲାଂଟ ଯୋଗୁଁ ୧୨ଟି ଗ୍ରାମର ପ୍ରାୟ ୧୫ ହଜାର ଲୋକ ପ୍ରଭାବିତ ହେବେ। ଏଥିସହ ଚାଷଜମି, ଜଙ୍ଗଲ, ଜଳାଶୟ, ଜୀବିକା ଓ ଗ୍ରାମବାସୀଙ୍କ ପରମ୍ପରା ପ୍ରଭାବିତ ହେବ ବୋଲି ଦଳ ଅଭିଯୋଗ କରିଛି।
ସ୍ଥାନୀୟ ଅଧିବାସୀମାନେ ପ୍ରକଳ୍ପକୁ ତୀବ୍ର ବିରୋଧ କରୁଥିବା ଦାବି କରି ଯୁବ କଂଗ୍ରେସ ସରକାରଙ୍କୁ ୧୫ ଦିନ ସମୟ ଦେଇଛି। ଏହି ସମୟ ମଧ୍ୟରେ ସରକାର ଲୋକଙ୍କ ସହ ଆଲୋଚନା ନ କଲେ ଅଞ୍ଚଳରେ ୭ ଦିନିଆ ପଦଯାତ୍ରା କରାଯିବ ବୋଲି ରଞ୍ଜିତ ପାତ୍ର କହିଛନ୍ତି। ଏହି ପ୍ରତିନିଧି ଦଳରେ ୟାସିର ନୱାଜ, ବଟକୃଷ୍ଣ ରାଉତରାୟ, ସୁନେସ ଧୂର, ବିନୋଦ ନାୟକ ଓ ସନ୍ଦୀପ ରାଉତରାୟ ପ୍ରମୁଖ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା





