ଝାରସୁଗୁଡ଼ା, ୨୦ ଅଗଷ୍ଟ :- ଲଘୁଚାପଜନିତ ଲଗାଣ ବର୍ଷାରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଝାରସୁଗୁଡ଼ା ପୌରପାଳିକା ସମେତ କୋଲାବିରା, କିର୍ମିରା ଓ ଲଇକେରା ବ୍ଲକ୍ ରେ ଲଗାଣ ବର୍ଷା ଯୋଗୁଁ ବହୁ ପରିବାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବିଶେଷକରି ଗରିବ ଓ ଅର୍ଥନୈତିକ ଦୁର୍ବଳ ପରିବାରଙ୍କ କଚ୍ଚା ଘର ଭାଙ୍ଗିଯିବାରୁ ଅନେକ ପରିବାର ବାସହୀନ ହୋଇପଡ଼ିଛନ୍ତି।
ଏହି ପରିସ୍ଥିତିରେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ରିଲିଫ୍, କ୍ଷତିପୂରଣ ଓ ପୁନର୍ବାସ ସହାୟତା ଯୋଗାଇବା ଦାବିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓଡ଼ିଶାର ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଭେଟିଛନ୍ତି। ଏ ନେଇ ସେ ଏସଆରସିଙ୍କୁ ଏକ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।
ଦାବିପତ୍ରରେ କ୍ଷତିଗ୍ରସ୍ତ ଘରଗୁଡ଼ିକର ତୁରନ୍ତ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବା ସହ ଯୋଗ୍ୟ ପରିବାରଙ୍କୁ ନିୟମାନୁସାରେ ରିଲିଫ୍ ଓ କ୍ଷତିପୂରଣ ପ୍ରଦାନ ପାଇଁ ବିଧାୟକ ଦାବି କରିଛନ୍ତି। ସମ୍ପୂର୍ଣ୍ଣ ଭାବେ ଘର ନଷ୍ଟ ହୋଇଥିବା ପରିବାରଙ୍କୁ ତୁରନ୍ତ ଅସ୍ଥାୟୀ ଆଶ୍ରୟ ଯୋଗାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଏଥିସହ ଗରିବ ଓ ଅର୍ଥନୈତିକ ଦୁର୍ବଳ ପରିବାରଙ୍କ କଚ୍ଚା ଘର ପୁନଃନିର୍ମାଣ ପାଇଁ ସ୍ୱତନ୍ତ୍ର ସହାୟତା, ଘରୋଇ ସାମଗ୍ରୀ ଓ ଅତ୍ୟାବଶ୍ୟକ ଜିନିଷପତ୍ର ନଷ୍ଟ ହୋଇଥିବା ପରିବାରଙ୍କୁ ଆବଶ୍ୟକ ସହାୟତା ଏବଂ ଶୀଘ୍ର ରିଲିଫ୍ ବଣ୍ଟନ ପାଇଁ ସେ ଦାବି ରଖିଛନ୍ତି। ବର୍ଷାରେ ପ୍ରଭାବିତ ପରିବାରଗୁଡ଼ିକୁ ଆଉ ଅଧିକ ସମୟ ଆଶ୍ରୟହୀନ ଅବସ୍ଥାରେ ରହିବାକୁ ନ ପଡ଼ିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଧାୟକ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।




