ଭୁବନେଶ୍ୱର, ୨୧ ଅଗଷ୍ଟ :- କେନ୍ଦ୍ର ବନ୍ଦର ପରିବହନ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ପାରାଦୀପ ବନ୍ଦରରେ ଭିଲିଭୂମି ବିକାଶ, ପରିବେଶ ସୁରକ୍ଷା ଓ କର୍ମଚାରୀ ସୁବିଧା ସହ ସମ୍ପର୍କିତ ଏକାଧିକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରଶାସନିକ କାର୍ଯ୍ୟାଳୟ ଭବନରେ ସେ ମଡେଲ୍ ରୁମ୍ ଉଦ୍ଘାଟନ କରିଥିଲେ। ଏହା ମାଧ୍ୟମରେ ବନ୍ଦରର ଭିଲିଭୂମି ଓ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉନ୍ନତ ଯୋଜନା, ପ୍ରଦର୍ଶନ ଓ ଭିଜୁଆଲାଇଜେସନ୍ ରେ ସହାୟତା ମିଳିବ।
ଏହି ଅବସରରେ ସୋନୋୱାଲ ପାରାଦୀପ ବନ୍ଦର ପରିସରରେ ୧୦ ଲକ୍ଷତମ ଚାରାଗଛ ରୋପଣ କରିଥିଲେ। ସେ କହିଥିଲେ ଯେ ଅର୍ଥନୀତି ଓ ପରିବେଶ ପରସ୍ପର ପୂରକ ଏବଂ ପାରାଦୀପ ବନ୍ଦର ସ୍ଥାୟୀ ବିକାଶର ଏକ ନୂଆ ମାନଦଣ୍ଡ ସୃଷ୍ଟି କରିଛି। ୧୯୯୯ ମସିହାର ସୁପର ସାଇକ୍ଲୋନ ପରେ ଆରମ୍ଭ ହୋଇଥିବା ପରିବେଶ ସୁରକ୍ଷା ଅଭିଯାନରେ ବନ୍ଦର କର୍ଲୃପକ୍ଷ, କର୍ମଚାରୀ ଓ ସ୍ଥାନୀୟ ସମୁଦାୟର ସାମୂହିକ ଭାଗିଦାରି ରହିଛି। ଗତ ଚାରି ବର୍ଷ ଧରି ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ଚାରାଗଛ ରୋପଣ କରାଯାଇଛି ବୋଲି ସେ କହିଥିଲେ।
କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଦେଶର ବନ୍ଦରଗୁଡ଼ିକ କେବଳ କ୍ଷମତା ବୃଦ୍ଧି କରୁନାହାନ୍ତି, ବରଂ ପରିବେଶ ସହ ସନ୍ତୁଳନ ରକ୍ଷା କରି ବିକାଶର ଦିଗରେ ଆଗକୁ ବଢ଼ୁଛନ୍ତି। ପାରାଦୀପ ବନ୍ଦରର ହରିତ ଅଭିଯାନ ଏହି ଦୃଷ୍ଟିକୋଣର ଏକ ଉଲ୍ଲେଖନୀୟ ଉଦାହରଣ ବୋଲି ସେ କହିଥିଲେ।
ଏହି ଅବସରରେ ସୋନୋୱାଲ ପାରାଦୀପ ବନ୍ଦର ଟାଉନସିପ୍ ପାଇଁ ୨୦ କୋଟି ଟଙ୍କାର ପାଇପ୍ଡ ନ୍ୟାଚୁରାଲ୍ ଗ୍ୟାସ୍ ଭିତିଭୂମିର ମଧ୍ୟ ଉଦ୍ଘାଟନ କରିଥିଲେ। ଏକ କର୍ମଚାରୀଙ୍କ ଆବାସରେ ଗ୍ୟାସ୍ ଚୁଲା ଜଳାଇ ଚା’ ପ୍ରସ୍ତୁତ କରି ସେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହା ସହିତ ପାରାଦୀପ ଭାରତର ପ୍ରଥମ ପ୍ରମୁଖ ବନ୍ଦର ଭାବେ ଟାଉନସିପ୍ ବାସିନ୍ଦାଙ୍କ ପାଇଁ ପିଏନଜି ସଂଯୋଗ ଆରମ୍ଭ କରିଛି।ସୋନୋୱାଲ କହିଥିଲେ ଯେ ପିଏନଜି ସୁବିଧା ଦ୍ୱାରା ବାସିନ୍ଦାମାନଙ୍କୁ ପରିଷ୍କାର ଓ ନିରବିଚ୍ଛିନ୍ନ ଶକ୍ତି ମିଳିବା ସହ ଘରୋଇ ଗ୍ୟାସ୍ ଖର୍ଚ୍ଚରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ସଂଚୟ ହୋଇପାରିବ। ଏହି ପଦକ୍ଷେପ ସ୍ୱଚ୍ଛ ଶକ୍ତିର ବ୍ୟବହାର ବଢ଼ାଇବା ସହ କାର୍ବନ ଉର୍ତ୍ସଜନ ହ୍ରାସରେ ମଧ୍ୟ ସହାୟକ ହେବ। - HS




