ଭୁବନେଶ୍ୱର, ୨୧ ଅଗଷ୍ଟ (ହି.ସ) - ଓଡ଼ିଶାର ସଙ୍ଗୀତ ଜଗତର ବାଦଶାହ, ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ଓଡ଼ିଆ ସଙ୍ଗୀତର ମହାନ ସାଧକ ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ଗଭୀର ଶୋକ ପ୍ରକାଶ କରିଛି ।
ତାଙ୍କ ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ମୃତ୍ୟୁ ସହିତ ଓଡ଼ିଆ ସଙ୍ଗୀତ ଆକାଶରୁ ଏକ ଉଜ୍ଜ୍ୱଳ ନକ୍ଷତ୍ର ଲିଭିଗଲା ଏବଂ ଏକ ମଧୁର, ଶକ୍ତିଶାଳୀ ଓ ଅନନ୍ୟ କଣ୍ଠ ଚିରଦିନ ପାଇଁ ନିରବ ହୋଇଗଲା।ପ୍ରଣବ ପଟ୍ଟନାୟକ କେବଳ ଜଣେ ଗାୟକ ନଥିଲେ, ସେ ଥିଲେ ଓଡ଼ିଆ ସଙ୍ଗୀତର ଏକ ସ୍ୱତନ୍ତ୍ର ଯୁଗ। ଦୀର୍ଘ ଦଶନ୍ଧି ଧରି ତାଙ୍କ ଅସାଧାରଣ କଣ୍ଠସ୍ୱର ଓଡ଼ିଆ ଲୋକଙ୍କ ହୃଦୟକୁ ଛୁଇଁଛି। ଚଳଚ୍ଚିତ୍ର ସଙ୍ଗୀତଠାରୁ ଆରମ୍ଭ କରି ଭଜନ, ଜଣାଣ, ଓଡ଼ିଶୀ ଓ ବିଭିନ୍ନ ଧାରାର ସଙ୍ଗୀତରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ କଣ୍ଠରେ ଓଡ଼ିଶାର ମାଟିର ଗନ୍ଧ, ଓଡ଼ିଆ ଜୀବନର ଭାବନା, ପ୍ରେମ, ବିରହ, ଭକ୍ତି ଓ ମାନବୀୟ ସମ୍ବେଦନା ଜୀବନ୍ତ ହୋଇଉଠୁଥିଲା। ତାଙ୍କର ଗୀତ କେବଳ ମନୋରଞ୍ଜନର ମାଧ୍ୟମ ନଥିଲା; ସେଗୁଡ଼ିକ ଓଡ଼ିଆ ଜନଜୀବନ ଓ ସଂସ୍କୃତିର ଅବିଚ୍ଛିନ୍ନ ଅଂଶରେ ପରିଣତ ହୋଇଛି। ତାଙ୍କର ଅସାଧାରଣ କଳାସାଧନା ଓ ଓଡ଼ିଆ ସଙ୍ଗୀତ ପ୍ରତି ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କର ସୁର ଓ ସ୍ୱର ଆଗାମୀ ପିଢିକୁ ମଧ୍ୟ ଓଡ଼ିଆ ସଙ୍ଗୀତର ସମୃଦ୍ଧ ପରମ୍ପରା ସହିତ ଯୋଡ଼ି ରଖିବ।
ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ତାଙ୍କ ପରିବାରବର୍ଗ, ଆତ୍ମୀୟସ୍ୱଜନ, ଅଗଣିତ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛି। ପ୍ରଣବ ପଟ୍ଟନାୟକଙ୍କ ବାସଭବନରେ ସି.ପି.ଆଇ.(ଏମ୍) ରାଜ୍ୟ ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟା ପୁଷ୍ପା ଦାଶ ଓ ତାପସୀ ପ୍ରହରାଜଙ୍କ ସମେତ ଅନ୍ୟ ନେତୃବୃନ୍ଦ ପହଂଚି ତାଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହ ତାଙ୍କ ପତ୍ନୀ କସ୍ତୁରିକା ପଟ୍ଟନାୟକଙ୍କୁ ସାକ୍ଷାତ କରି ଗଭୀର ସମବେଦନା ଜ୍ଞାପନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା




