
ବଲାଙ୍ଗୀର, ୧୮ ଅଗଷ୍ଟ(ହି.ସ.) – ବଲାଙ୍ଗୀର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଏବଂ ପ୍ରଶାସନିକ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ଭିତିଭୂମି ନିର୍ମାଣ ଏବଂ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ବୈଠକରେ କଂଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ବାଗ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂହଦେଓ, ମାନ୍ୟବର ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ କୁମାର ଜୈନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଳା ମାଝୀ, ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାର ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ତରଣୀ ସୁନାଙ୍କ ସମେତ କମିଟିର ସମସ୍ତ ସଦସ୍ୟ-ସଦସ୍ୟା ଓ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଲୋଚନାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ତତ୍ପରେ ଜିଲ୍ଲା ପରିଷଦ, ବଲାଙ୍ଗୀରର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ତରଣୀ ସୁନା, କେବିକେ ବିକାଶ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ୨୦୨୪-୨୫ ଆର୍ôଥକ ବର୍ଷର ଚିଠା ପ୍ରସ୍ତାବ ଉପରେ ଆଲୋକପାତ କରିଥିଲେ। ଏହା ସହିତ ଜିଲ୍ଲାର ସମନ୍ୱିତ ବିକାଶ ଯୋଜନାର ଚିଠା ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବାକୁ ନିଷ୍ପତି ନିଆଗଲା। ଗ୍ରାମାଂଚଳ ଓ ସହରାଂଚଳର ମୌଳିକ ସମସ୍ୟା, ପାନୀୟ ଜଳ ଯୋଗାଣ, ସଡ଼କ ନିର୍ମାଣ ଏବଂ ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସରକାରଙ୍କ ଜନହିତକର ଯୋଜନାଗୁଡ଼ିକ ଯେପରି ସ୍ୱଚ୍ଛତା ଓ ପାରଦର୍ଶିତା ସହିତ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚିପାରିବ, ସେନେଇ କମିଟି କଡ଼ା ନିର୍ଦ୍ଦେଶ ଦେଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ ଶେଷ କରିବା ସହ ଆବଂଟିତ ପାଣ୍ଠିର ସଠିକ୍ ବିନିଯୋଗ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ କୁହାଯାଇଛି। ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଜଳସେଚନର ସୁବିଧା ପାଇଁ ବ୍ୟାରେଜ ନିର୍ମାଣ, ପର୍ଯ୍ୟଟନ ସ୍ଥଳୀର ବିକାଶ, କ୍ରୀଡ଼ା ଭିତିଭୂମିର ଉନ୍ନତି ଏବଂ ହସ୍ପିଟାଲଗୁଡ଼ିକରେ ଖାଲିଥିବା ଡାକ୍ତର ପଦବୀ ପୂରଣ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦେବାକୁ ନିଷ୍ପତି ହୋଇଛି।
ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ଶ୍ରୀ ଅଙ୍କିତ କୁମାର ମହାକୁର ବୈଠକର ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ଏହି ଅବସରରେ ୨୦୨୪-୨୫ ଆର୍ôଥକ ବର୍ଷର କେବିକେ ବିକାଶ ଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ସେହିପରି ୨୦୨୪-୨୫, ୨୦୨୫-୨୬ ଓ ୨୦୨୬-୨୭ ଆର୍ôଥକ ବର୍ଷର ଜିଲ୍ଲା ବାର୍ଷିକ କାର୍ଯ୍ୟ ଖସଡ଼ା ଉପରେ ମଧ୍ୟ ଆଲୋଚନା କରାଯିବା ସହ ଏହାକୁ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରିବାକୁ ନିଷ୍ପତି ନିଆଯାଇଛି। ସମସ୍ତଙ୍କ ସମନ୍ୱୟ ଓ ମିଳିତ ପ୍ରୟାସ ଦ୍ୱାରା ବଲାଙ୍ଗୀରକୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ବୈଠକରେ ସଂକଳ୍ପ ନିଆଯାଇଥିଲା। ଶେଷରେ ସହାୟକ ନିର୍ଦ୍ଦେଶକ(ଯୋଜନା) ସୋନାଲୀ ସୁଚିସ୍ମିତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ





