ତାଳଚେର, 21 ଅଗଷ୍ଟ : ତାଳଚେର ଗୁରୁଜଙ୍ଗରେ ପୂଜ୍ୟ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଯୋଗ ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପୂଜ୍ୟ ସାଧୁସନ୍ଥ ଓ ସଙ୍ଘ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଆଜିର ପବିତ୍ର ଅବସରରେ ମୁଁ ସେହି ମହାନ ଯୁଗପୁରୁଷ, ଆଧ୍ୟାତ୍ମିକ ସାଧକ, ସନାତନ ସଂସ୍କୃତିର ପ୍ରହରୀ ପୂଜ୍ୟ ସ୍ୱାମୀଜୀଙ୍କ ଚରଣ କମଳରେ ସଶ୍ରଦ୍ଧ ପ୍ରଣାମ ଜଣାଉଛି। ତାଙ୍କର ଦିବ୍ୟ ଚେତନା ଓ ଆଶୀର୍ବାଦ ଆଜି ବି ଆମ ସମସ୍ତଙ୍କ ସହ ଅଛି।
ସ୍ୱାମୀଜୀ ସନ୍ଥ ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ବିଚାରରେ ନିଜ ଜୀବନକୁ ଓଡ଼ିଶାର ଜନଜାତି ଓ ବଞ୍ଚିତ ସମାଜର କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ। ସେ କନ୍ଧମାଳ ଓ ଫୁଲବାଣୀ ଭଳି ଦୁର୍ଗମ ଅଞ୍ଚଳରେ ଆଶ୍ରମ, ସଂସ୍କୃତ ବିଦ୍ୟାଳୟ ଓ କନ୍ୟାଶ୍ରମ ସ୍ଥାପନ କରି ଶିକ୍ଷା, ସଂସ୍କାର ଓ ସଂସ୍କୃତିର ପ୍ରସାର କରିଥିଲେ। ବେଆଇନ ଧର୍ମାନ୍ତରଣ ରୋକିବା, ଗୋ-ସୁରକ୍ଷା କରିବା, ଆଧୁନିକ ଚାଷକାର୍ଯ୍ୟ ଓ ବୃକ୍ଷରୋପଣ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଆତ୍ମନିର୍ଭର କରିବା ସହ ନିଜ ସ୍ୱଧର୍ମ ପ୍ରତି ଗୌରବ ଜାଗ୍ରତ କରିବାରେ ତାଙ୍କର ଯୋଗଦାନ ଅତୁଳନୀୟ।ନିକଟରେ ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ’ ପକ୍ଷରୁ ତାଙ୍କର ଜୀବନୀ ଉପରେ ଏକ ପ୍ରାମାଣିକ ଗ୍ରନ୍ଥ 'ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ : କୃତି ଓ ବ୍ୟକ୍ତିତ୍ୱ' ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଉନ୍ମୋଚିତ ହୋଇଛି। ଆମେ ସ୍ୱାମୀଜୀଙ୍କ ଅନୁଯାୟୀ ଭାବେ ଏହି ପବିତ୍ର ଗ୍ରନ୍ଥ ଓ ଫଟୋଚିତ୍ରକୁ ଓଡ଼ିଶାର ୫୦,୦୦୦ ଗ୍ରାମରେ ପହଞ୍ଚାଇବା ପାଇଁ ପ୍ରୟାସ କରିବା ଦରକାର। ଭାଷା ଆଧାରରେ ଗଠିତ ଓଡ଼ିଶାର ଆଗାମୀ ଶତାବ୍ଦୀ ବର୍ଷ ପୂର୍ବରୁ ସ୍ୱାମୀଜୀଙ୍କ ଏହି ଶତାବ୍ଦୀ ବର୍ଷର ଆଦର୍ଶକୁ ଆତ୍ମସାତ୍ କରିବା ହିଁ ଆମର ପ୍ରାଥମିକ ଦାୟିତ୍ୱ।
ସ୍ୱାମୀଜୀଙ୍କ ପବିତ୍ର ଜନ୍ମମାଟି ଗୁରୁଜଙ୍ଗ ଗ୍ରାମକୁ ଏକ ପବିତ୍ର 'ତୀର୍ଥକ୍ଷେତ୍ର' ବା 'ଐତିହ୍ୟ ଗାଁ' ଭାବେ ଗଢ଼ିତୋଳିବା ପାଇଁ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ। ଏହି ପବିତ୍ର ଭୂମିକୁ ସାମାଜିକ ସଂସ୍କାର, ସ୍ୱାବଲମ୍ବନ ଓ ଆତ୍ମନିର୍ଭରଶୀଳତାର ଏକ ପ୍ରୟୋଗଶାଳାରେ ପରିଣତ କରି ଓଡ଼ିଶାର ବଞ୍ଚିତ ବର୍ଗ, ଶିଶୁ, ମାତୃଶକ୍ତି ଓ ଚାଷୀ ଭାଇମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମାଜରେ ସ୍ୱାଭିମାନର ସହ ଜିଇଁବାର ସାମର୍ଥ୍ୟ ଦେବା ହିଁ ସ୍ୱାମୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ସେବା ଓ ସଂସ୍କାରର ଯେଉଁ ଅଲିଭା ପ୍ରଦୀପ ସେ ପ୍ରଜ୍ୱଳିତ କରିଥିଲେ,
ତାହା ଯୁଗ ଯୁଗ ଧରି ସମାଜକୁ ଆଲୋକିତ କରୁଥିବ।
ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଆରଏସଏସର କ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ଓ ବିଭିନ୍ନ ସଂଗଠନର ପଦାଧିକାରୀ ମାନେ ଉପସ୍ଥିତ ଅଛନ୍ତି ।




