ଭୁବନେଶ୍ୱର, ୦୪ ଜୁଲାଇ - ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଓମ୍ସାର ଆଲୋଚନା ପରେ ଆନ୍ଦୋଳନରତ ଡାକ୍ତରମାନେ ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ଶନିବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓମସାର ସଭାପତି , ସମ୍ପାଦକ ଓ କର୍ମକର୍ତାଙ୍କ ସହ ବୈଠକ ବସିଥିଲା। ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଓଡିଶା ମେଡିକାଲ ସିର୍ଭିସ୍ ଆସୋସିଏସନ୍ ର କର୍ମକର୍ତାଙ୍କ ସହ ଆଲୋଚନା ସଫଳ ହେଲା। ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖାଯିବା ନେଇ ନିଷ୍ପତି ହେଲା। ଓମସାର ଯେଉଁ ୧୦ ଦଫା ଦାବି ଥିଲା ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା। ଓମ୍ସାର ଦାବି ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତି ହୋଇଛି। ଅର୍ଥ ସଚିବ କମିଟିର ଅଧ୍ୟକ୍ଷ ରହିବେ। ଏହା ବ୍ୟତୀତ କମିଟିରେ ସ୍ୱାସ୍ଥ୍ୟ , ଆଇନ ସଚିବ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧ୍ୟ ରହିବେ। ଆସନ୍ତା ୨୨ ତାରିଖରେ କମିଟିର ପ୍ରଥମ ବୈଠକ ବସିବ।





