ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ
୧୫ ଦିନରେ ସ୍ପଷ୍ଟୀକରଣ ନ ରଖିଲେ ଆନ୍ଦୋଳନ, ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଦାବି
ବଲାଙ୍ଗୀର, ୨୧ ଅଗଷ୍ଟ(ହି.ସ.) – ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ଦାଇତ୍ୱ ଥିବା ସରକାରୀ କର୍ମଚାରୀ ଙ୍କ କାର୍ଯ୍ୟ ଅବହେଳା ଯୋଗୁଁ
ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଶୁକ୍ରବାର କଂଟାବାଞ୍ଜି ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ ସଭାପତି ଅନିଲ୍ ବିଭାର ଙ୍କ ନେତୃତ୍ୱରେ କମିଟି ସଦସ୍ୟମାନେ ଏକତ୍ରିତ ହୋଇ କଂଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କୁ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ଉଲ୍ଲେଖ ଯେ ଗତ କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ସହର ର ବିଭିନ୍ନ ବାଳିକା ବିଦ୍ୟାଳୟ ଏବଂ ଥାନା ଛକ ଠାରେ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସରକାରୀ ରାଜକୋଷରୁ ଖର୍ଚ୍ଚ କରି ସ୍ୱାଧୀନତା ଦିବସ ର ଶୁଭେଚ୍ଛା ହୋଡିଙ୍ଗ ଲଗାଯାଇଥିଲା। ଲାଗିଥିବା ହୋଡିଙ୍ଗ ରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଙ୍କ ଫଟୋ ଚିତ୍ର ରହିଥିବା ବେଳେ ଭାରତର ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆ.ର୍ ଆମ୍ବେଦକର ଫଟୋ ଚିତ୍ର ନ ରହିଥିବା ଘୋର୍ ଅପମାନ ଅଟେ। ଡକ୍ଟର ବି.ଆର୍.ଆମ୍ବେଦକର କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି, ସେ ହେଉଛନ୍ତି ଭାରତର ସମ୍ବିଧାନର ମୁଖ୍ୟ ରଚୟିତା। ତାଙ୍କ ଦେଇଥିବା ସମ୍ବିଧାନ ଆଧାରରେ ହିଁ ଆଜି ଆମେ ସ୍ୱାଧୀନ ଭାରତରେ ବଂଚୁଛୁ। ସ୍ୱାଧୀନତା ଦିବସର ସରକାରୀ ହୋଡିଙ୍ଗରୁ ତାଙ୍କୁ ବାଦ୍ ଦେବା ଅର୍ଥ ସମ୍ବିଧାନ ଓ ସାମାଜିକ ନ୍ୟାୟର ଅପମାନ କରାଯାଇଛି। ଯେଉଁ ସମ୍ବିଧାନ ଆମକୁ ସ୍ୱାଧୀନତାର ଅର୍ଥ ବୁଝାଇଲା, ତାର ମୁଖ୍ୟ ଶିଳ୍ପୀଙ୍କୁ ଭୁଲିବା କୌଣସି ଭାବେ ଗ୍ରହଣୀୟ ନୁହେଁ। ୧-ସ୍ୱାଧୀନତା ଦିବସ ର ସରକାରୀ ଶୁଭେଚ୍ଛା ହୋଡିଙ୍ଗ ରେ ଡକ୍ଟର ବି.ଆର୍.ଆମ୍ବେଦକରଙ୍କ ଫଟୋ ଚିତ୍ର ନ ଲଗାଇ ଅପମାନ କରାଯାଇଛି। ତେଣୁ ଦାଇତ୍ୱ ଥିବା କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆମ୍ବେଦକର ଙ୍କୁ ଅପମାନ କରିଥିବାରୁ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଉ।୨- କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ରେଲୱେ ଖେଳ ପଡିଆ ଠାରେ ପାଳନ କରାଯାଇଥିବା ବେଳେ ସେଠାରେ ଲାଗିଥିବା ତ୍ରିରଙ୍ଗା ପତାକା ର ବେନର ରଙ୍ଗ କୁ ବଦଳାଇ ଅସମ୍ମାନ କରାଯାଇଛି। ତେଣୁ ଜାତୀୟ ରଙ୍ଗ କୁ ବଦଳାଇ ଅସମ୍ମାନ କରିଥିବା ଦାଇତ୍ୱ ଥିବା କର୍ମଚାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ୩- କଂଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କୁ ଲାଗି କି ରହିଥିବା ଡକ୍ଟର ବି.ଆର୍. ଆମ୍ବେଦକର ଙ୍କ ପ୍ରତିମୂର୍ତି ରହିଥିବା ବେଳେ ତାହା ମଧ୍ୟ ଅବହେଳିତ ରହିଛି ଯାଇଛି ତେଣୁ ତୁରନ୍ତ ମୂର୍ତି ରକ୍ଷଣବେକ୍ଷଣ କରାଯାଉ ନଚେତ ନୂଆ ପ୍ରତିମୂର୍ତି ସ୍ଥାପନ କରାଯାଉ। ୪- କଣ୍ଟାବାଞ୍ଜି ସହରରେ ଥିବା ସମସ୍ତ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତି କୁ ଠିକ୍ ଭାବେ ରକ୍ଷଣବେକ୍ଷଣ କରିବା ସହ କଂଟାବାଞ୍ଜି ର ଇନ୍ଦିରା ଛକ ଠାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତି ସ୍ଥାପନ କରିବାକୁ ଦାବି କରାଯାଇଛି। ଯଦି ଦାବିଗୁଡିକ ଉପରେ ପ୍ରଶାସନ ୧୫ ଦିନ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ କମିଟି ପକ୍ଷରୁ କଂଟାବାଞ୍ଜି ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଖୋଲା ଚେତାବନୀ ଦିଆଯାଇଛି। ଏହାର ଏକକିତା ନକଳ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓଡ଼ିଶା ସରକାର, ବଲାଙ୍ଗୀର ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ନଗରପାଳ ବିଜ୍ଞାପିତ ଅଂଚଳ ପରିଷଦ କଂଟାବାଞ୍ଜି,ପ୍ରକଳ୍ପ ନିର୍ଦ୍ଦେଶକ ଡୁଡା ବଲାଙ୍ଗୀର ଜିଲ୍ଲା, ଗୃହ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାର ମଧ୍ୟ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ କରିବା ସମୟରେ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ସମ୍ପାଦକ ରୋହନ କୁମାର ମହତ, ଉପ ସଭାପତି ତୁଳସୀ ରାମ ଜଗତ, ସଦସ୍ୟ ଅନିଲ୍ ମିପକା, ମୋହନ ସୁନା, ରେସବ ମାହାନନ୍ଦ, ଜିତେନ୍ଦ୍ର ସୁନା, ସୋଭରାଜ ସିଂ ମାଝି, ପ୍ରେମ ମହତ, ଅଜୟ ତାଣ୍ଡି, ଗୋକୁଳ ସୁତନାମୀ, ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ




