


ସମ୍ବଲପୁର, ୨୧, ଅଗଷ୍ଟ (ହି.ସ.) ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ରେଢ଼ାଖୋଲ ଥାନା ପୋଲିସ ଏକ ବଡ଼ ଧରଣର ବିଦ୍ୟୁତ୍ ତାର ଚୋରି ଘଟଣାର ତଦନ୍ତ କରି ୧୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ବାରମ୍ବାର ବିଦ୍ୟୁତ୍ ତାର ଚୋରି ନେଇ ଅଭିଯୋଗ ହେଉଥିବା ବେଳେ ରେଢାଖୋଲ ଥାନାରେ ରୁଜ୍ଜୁ ହୋଇଥିବା ୫୩/ ୨୬ ମାମଲାକୁ ଜୋରଦାର ତଦନ୍ତ କରି ଏହି ସଫଳତା ପାଇଥିଲା । ସୂଚନାନୁଯାୟୀ ତ୍ରିବନପୁର ୧୧ କେଭି ଫିଡର ନିକଟରୁ ଟ୍ରକ୍ ଯୋଗେ ବିଦ୍ୟୁତ୍ କଣ୍ଡକ୍ଟର କାଟି ଚୋରି କରାଯାଇଥିବା ସୁରାକ ପାଇବା ମାତ୍ରେ ପୋଲିସ ଅଚାନକ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା। ପୋଲିସର ଏଭଳି ଅଚାନକ ଚଢ଼ାଉକୁ ଦେଖି ଅଭିଯୁକ୍ତମାନେ ଖସିଯିବା ସହ କଟିଂ ଉପକରଣ ଦେଖାଇ ପୋଲିସ ଟିମ୍କୁ ଭୟବିତ କରାଇଥିଲେ। ଏଥିରେ ପୋଲିସ ପଛଘୁଂଚା ନଦେଇ ଘଟଣାରେ ସଂପୃକ୍ତ ୧୨ ଜଣଙ୍କୁ କାବୁ କରି ଗିରଫ କରିଥିଲା। ସେମାନଙ୍କ ନିକଟରୁ ପୋଲିସ୍ ପ୍ରାୟ ୫୦୦ ମିଟର ଲମ୍ବର ୧୧ କେଭି ବିଦ୍ୟୁତ୍ କଣ୍ଡକ୍ଟର, (ଯାହାର ଆନୁମାନିକ ମୂଲ୍ୟ ୧.୫ ଲକ୍ଷ ଟଙ୍କା) ଜବତ କରିବାରେ ସମର୍ଥ ହୋଇଥିଲା । ଏଥିସହ ଏଥିରେ ବ୍ୟବହୃତ ହୋଇଥିବା ଓଡି ୧୫ ଏକ୍ସ ୮୭୦୪ ନମ୍ବରର ଏକ ମିନି ଟ୍ରକ୍ ଦୁଇଟି ଲୁହା କେବୁଲ୍ କଟର, ହ୍ୟାକ୍ସଅ ଫ୍ରେମ୍ ସହ ୬ଟି ବ୍ଲେଡ୍ ଓ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି । ଏହି ବିଦ୍ୟୁତ୍ ତାର ଚୋରି ଘଟଣାରେ ପୋଲିସ କାଂଚନପୁର ଗ୍ରାମର ଅମରଜିତ କିସାନ ଓରଫ ଜିତା, ବିଶି କିସାନ, ରସାନନ୍ଦ ଭୋଇ, କୃପାସିନ୍ଧୁ ଭୋଇ, ବୁଲୁ ପାତ୍ର, ସୁଶାନ୍ତ ଛେଣ୍ଡିଆ, ଅନିଲ ସେଠୀ, ରଜତ କୁମାର ବିଶି, ସୁଧାଂଶୁ ଭୋଇ ଓରଫ କାଲିଆ, ଗଗନ ବିଶି, ନିରଞ୍ଜନ ସାହୁ ଏବଂ ଗିରିଶଚନ୍ଦ୍ରପୁର ଗ୍ରାମର ମୋହନ କୁମାର ଜାନିକୁ ଗିରଫ କରିଛି । ସମସ୍ତ ଗିରଫ ଅଭିଯୁକ୍ତମାନେ କିସିଣ୍ଡା ଥାନା ଅଂଚଳର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ପଚରାଉଚରା ବେଳେ ଅଭିଯୁକ୍ତମାନେ ସୁନାପାଲି ଅଂଚଳର ମହମ୍ମଦ ସିରାଜର ନିର୍ଦ୍ଦେଶକ୍ରମେ ଚୋରି କରୁଥିବା ସ୍ୱୀକାର କରିଛନ୍ତି ।
------------------
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ




