କେନ୍ଦ୍ରାପଡ଼ା: ନିଜ ରାଜ୍ୟ ଓଡ଼ିଶା ଠାରୁ ପ୍ରାୟ ବାର ଶହ କିଲୋମିଟରରୁ ଉର୍ଦ୍ଧ୍ୱ ସୁଦୂର ହାଇଦ୍ରାବାଦ ସହରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଭବ୍ୟ ବୋଲବମ ଯାତ୍ରା ସହରରେ କିଛି ଘଣ୍ଟା ଧରି ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା । ତିନିଶହରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ ମହିଳା ଓ ପୁରୁଷ ଜଳଭାର କାନ୍ଧରେ ନେଇ ଏକ ବିଶାଳ ଶୋଭାଯାତ୍ରାରେ ଯାଉଥିବା ଦେଖିବାକୁ ମିଳିଛି। ବୋଲବମ ହରହରବମ୍, ଜଟିଆବାବା ପାରକରେଗା, ଭୋଳାବାବା ପାରକରେଗା ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସହର।
ଶ୍ରାବଣର ଶେଷ ସୋମବାର ଦିନ ବୋଲବମ ଓଡିଆ ପୂଜା କମିଟି ହାଇଦ୍ରାବାଦର ସଭାପତି ସୁଶାନ୍ତ କୁମାର କର, ସମ୍ପାଦକ ମଳୟ କୁମାର ବିଶ୍ଵାଳ, କୋଷାଧ୍ୟକ୍ଷ ଅଶୋକ କୁମାର ପଢ଼ିହାରିଙ୍କ ପରିଚାଳନା କମିଟିର ଧନୁର୍ଜୟ ଦାସ ଓ ଚିତ୍ତରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ବୋଲବମ ଯାତ୍ରା। ସୋମବାର ସକାଳୁ ହାଇଦ୍ରାବାଦ ନସିଂ ଥାନା ଗଣ୍ଡିପେଟ ହ୍ରଦ ନିକଟରେ ସମବିତ ହୋଇଥିଲେ ପ୍ରାୟ ତିନି ଶହରୁ ଊର୍ଦ୍ଧ୍ବ ବୋ-ଲବମ ଭକ୍ତ ।
ପୂଜାର୍ଚ୍ଚନା ପରେ ଜଳଭାର କାନ୍ଧରେ ଧରି ଖାନପୁର ଠାରୁ ରାଜପଥ ଉପରେ ବୋଲବମ ହରହରବମ୍ ଧ୍ଵନିଦେଇ ଭବ୍ୟ ଶୋଭାଯାତ୍ରା ମଞ୍ଚିଲେଶ୍ବର ଶୈବପୀଠରେ ପହଞ୍ଚି ଥିଲା । ଘଣ୍ଟା ଘଣ୍ଟା ଧରି ଏହି ଭବ୍ୟ ଶୋଭାଯାତ୍ରା ଜାତୀୟ ରାଜପଥରେ ଚାଲିଥିଲା । ଟ୍ରାଫିକକୁ ଆଖ୍ ଆଗରେ ରଖ୍ ପୋଲିସ ସହାୟତାରେ ଏହି ଶୋଭାଯାତ୍ରା ଆଗକୁ ବଢିଚାଲିଥିଲା । ସବୁଠାରୁ ବଡ଼କଥା ହେଲା ଓଡ଼ିଆ ମାନଙ୍କ ଏହି ଭବ୍ୟ ବୋଲବମ ଯାତ୍ରା ହାଇଦ୍ରାବାଦ ବାସୀଙ୍କୁ ଆଶ୍ଚର୍ୟ୍ୟ ଓ ଆମୋଦ ଦାୟକ ଲାଗୁଥିଲା। ବାହାରକୁ ବାହାରି ଆସି ନିଜ ନିଜ ମୋବାଇଲରେ ଫଟୋ ଉଠାଇବା ସହ ଭିଡିଓ କରୁଥିବା ଦେଖୁବାକୁ ମିଳିଥିଲା ।
ନିଜ ଜନ୍ମସ୍ଥାନ ଠାରୁ ବହୁ ଦୂରରେ ଥିବା ଏହି ଓଡ଼ିଆ ମାନେ ନିଜ ନିଜ ମଧ୍ୟରେ ସମନ୍ଵୟ ରକ୍ଷାକରି ସଙ୍ଗଠନ ଜରିଆରେ ବର୍ଷର ବିଭିନ୍ନ ପ୍ରହରୀ ସମୟରେ ନାମଯଜ୍ଞ, ମହିମା ଅଲେଖ ଅଖଣ୍ଡ ବ୍ରହ୍ମଧ୍ୱନି ଯଜ୍ଞ, ଦୁର୍ଗାପୂଜା, ରଥଯାତ୍ରା ଓ ଅନ୍ୟାନ୍ୟ ସାଂସ୍କୃତିକ, ଆଧ୍ୟାତ୍ମିକ ସାମାଜିକ କାର୍ୟ୍ୟକ୍ରମ ଆୟୋଜନ କରିଆସୁଛନ୍ତି। ୨୦୨୨ ମସିହାରେ ୪ ବର୍ଷ ତଳେ ୩୦ ଜଣ ବୋଲବମ ଭକ୍ତଙ୍କୁ ନେଇ ଆରମ୍ଭହୋଇଥିବା ଏହି ବୋଲବମ ଯାତ୍ରା, ଏବେ ୩ଶହରେପହଞ୍ଚିଛି ।
ଏତେ ଦୂରରେ ରହିଥିଲେ ମଧ୍ୟ ପ୍ରବାସୀ ଓଡ଼ିଆମାନେ ନିଜ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାକୁ ଭୂଲି ଯାଇନାହାନ୍ତି । ହାଇଦ୍ରାବାଦ ସହରରେ ଥବା ପ୍ରବାସୀ ଓଡିଆ ସଙ୍ଗଠନ ଓଡିଆ ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ୟ୍ୟ କରୁଛି। ସବୁଠାରୁ ବଡ଼କଥା ହେଲା ଏହି ସଙ୍ଗଠନ ବୋଲବମ ଯାତ୍ରାର ବ୍ୟାନରରେ ପ୍ରଭୁ ବଳଦେବଜୀଉ, ମା ପଞ୍ଚୁବରାହୀ, ମା ମାଟିଆ ମଙ୍ଗଳା, ପେଣ୍ଠ ବେଳାଭୂମି, ବତିଘର ପ୍ରଭୃତି ପର୍ୟ୍ୟଟନ, ଆଧ୍ୟାତ୍ମିକ ପୀଠ ଓ ସର୍ବୋପରି ଜଳବାୟୁ ପରିବର୍ତ୍ତନରେ ଉପୁଜୁଥିବା ବିଶ୍ଵତାପନକୁ ରୋକିବାରେ ପ୍ରମୁଖ ଭୂମିକା ନିଭାଉଥିବା ଭିତରକନିକା ଜାତୀୟ ଉଦ୍ୟାନର ଚିତ୍ର ଓ ସୂଚନା ଏହାର ନିଚ୍ଛକ ପ୍ରମାଣ ।





