ଜୁଲାଇ ୨୫ ସୁଦ୍ଧା ସରିବ ସମସ୍ତ ଆବେଦନର ଯାଂଚ ଓ ବ୍ୟାଙ୍କ ଲିଙ୍କ୍ ପ୍ରକ୍ରିୟା
ଭୁବନେଶ୍ୱର : ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ବିତରଣକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜୁଲାଇ ୨୫ ସୁଦ୍ଧା ଯୋଜନା ଅଧୀନରେ ଅବଶିଷ୍ଟ ସମସ୍ତ ଆବେଦନର ଯାଂଚ, ଯୋଗ୍ୟତା ନିର୍ଦ୍ଧାରଣ ଓ ବ୍ୟାଙ୍କ ଲିଙ୍କ୍ ସମ୍ବନ୍ଧୀୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଉପମୁଖ୍ୟମନ୍ତ୍ରୀ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ୧,୧୫,୭୫,୬୩୩ଟି ଆବେଦନ ପଞ୍ଜୀକୃତ ହୋଇଥିବାବେଳେ, ସେଥିମଧ୍ୟରୁ ୨୦୨୬-୨୭ ଆର୍ôଥକ ବର୍ଷରେ ୩,୧୭,୯୬୬ଟି ନୂତନ ଆବେଦନ ପ୍ରାପ୍ତ ହୋଇଛି। ସମସ୍ତ ଯାଂଚ ଓ ଯୋଗ୍ୟତା ନିର୍ଣ୍ଣୟ ପରେ ୧,୦୨,୦୪,୩୯୬ ଜଣ ସମ୍ଭାବ୍ୟ ହିତାଧିକାରୀଙ୍କୁ ୫ମ କିସ୍ତି ପ୍ରଦାନ ପାଇଁ ଚିହ୍ନଟ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଦ୍ୱାରା ଯାଂଚରେ ମୃତ୍ୟୁ ନିଶ୍ଚିତ ହୋଇଥିବା ୫,୨୭୭ ଜଣ ହିତାଧିକାରୀଙ୍କ ନାମ ବାଦ ଦିଆଯିବା ପରେ ୧,୦୧,୯୯,୧୧୯ ଜଣଙ୍କୁ ୫ମ କିସ୍ତି ପ୍ରଦାନ ପାଇଁ ଅନ୍ତିମ ସମ୍ଭାବ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି।
ବୈଠକରେ ଡିବିଟି ସକ୍ରିୟକରଣ, ଇ-କେୱାଇସି, ଫିଲ୍ଡ ଏନକ୍ୱାରୀ, ଏନପିସିଆଇ ମ୍ୟାପିଂ, ପେମେଂଟ ଫାଇଲ୍ ପ୍ରସ୍ତୁତି ଓ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଫିଲ୍ଡ ଏନକ୍ୱାରୀ ପାଇଁ ପଠାଯାଇଥିବା ସମସ୍ତ ଆବେଦନର ଯାଂଚ ଓ ନିଷ୍ପତି ପ୍ରକ୍ରିୟାକୁ ଆସନ୍ତା ୨୫ ଜୁଲାଇ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବା ସହ ଏହାର ଅଗ୍ରଗତିକୁ ଦୈନିକ ଭିତିରେ ସମୀକ୍ଷା କରିବା ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ସୁଭଦ୍ରା ଯୋଜନାର ସାମଗ୍ରିକ ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା। ଏପର୍ଯ୍ୟନ୍ତ ଚାରୋଟି କିସ୍ତିରେ ୨୦,୬୪୮.୬୩ କୋଟି ଟଙ୍କା ଡିବିଟି ମାଧ୍ୟମରେ ଏକ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି। ସେହିପରି, ପଞ୍ଜିକୃତ ୨,୬୮,୩୯୬ଟି ଅଭିଯୋଗର ସମାଧାନ କରାଯାଇଛି।
ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ଭୁଲ, ସ୍ୱଚ୍ଛ ଓ ସୁଚାରୁରୂପେ ସୁଭଦ୍ରା ଯୋଜନାର କିସ୍ତି ପ୍ରଦାନ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀ, ସମ୍ପୃକ୍ତ ବିଭାଗ ଏବଂ ବ୍ୟାଙ୍କିଙ୍ଗ ସଂସ୍ଥାଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ସମସ୍ତ ପ୍ରସ୍ତୁତି ସମୟବଦ୍ଧ ଭାବେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ସୁଭଦ୍ରା ଯୋଜନାର ଆଗାମୀ କାର୍ଯ୍ୟପନ୍ଥା ଏବଂ ଆବେଦନଗୁଡ଼ିକର ସାମ୍ପ୍ରତିକ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ସମେତ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍) ଏବଂ ବିଭଗୀୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ






