ଭୁବନେଶ୍ୱର :ଓଡ଼ିଶା ଯୁବ ଜନତା କଂଗ୍ରେସ ଯୁବ ସଭାପତି ଆର୍ଯ୍ୟବୀର ଲେଙ୍କାଙ୍କ ନେତୃତ୍ୱରେ ଆଗାମୀ ୧୩ ତାରିଖରେ ଭୁବନେଶ୍ୱରର ଖାରବେଳନଗର ଠାରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରାଯିବ । ଏହି ଶୋଭାଯାତ୍ରାରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ସଭାପତି ଇଂ ମହମ୍ମଦ ମୋକିମ୍ ଯୋଗଦେବା ସହିତ ଅନେକ ଯୁବ ନେତା ଓ ରାଜ୍ୟ ନେତୃତ୍ୱ ମଧ୍ୟ ଯୋଗଦେବେ । ବିଜେପିର ୨ ବର୍ଷ ଶାସନକାଳରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଅବ୍ୟବସ୍ଥା, ଭିଡ଼ହିଂସା, ମହିଳା ନିର୍ଯାତନା ଓ ବେରୋଜଗାରୀ ଆଦି ବିଭିନ୍ନ ସମସ୍ୟାକୁ ଆଧାର କରି ବିକ୍ଷୋଭ ପ୍ରଦର୍ଶନ କରାଯିବ ।
୧- ଭିଡ଼ହିଂସାରେ ହେଉଥିବା ହତ୍ୟା ଏତେମାତ୍ରାରେ ବଢ଼ିଯାଇଛି ଯେ, ସାଧାରଣ ଜନତା ରାସ୍ତାରେ ଚାଲିବାକୁ ଭୟ କରୁଛନ୍ତି । ଏହା ସ୍ପଷ୍ଟ କରିଦେଉଛି କି ସରକାରଙ୍କର ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ିପଡ଼ିଛି । ବାରମ୍ବାର ଭିଡ଼ହିଂସା ଓ ପୋଲିସ ପ୍ରତି ଭୟ ନ ରହିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସରକାର ଏହାପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରାଯିବ ।
୨- ରାଜ୍ୟରେ ମହିଳାମାନେ ଏବେ ଘରର ଚାରିକାନ୍ଥ ଭିତରେ ମଧ୍ୟ ସୁରକ୍ଷିତ ନାହାନ୍ତି । ବାରମ୍ବାର ମହିଳାଙ୍କ ସୁରକ୍ଷା କଥା କହିଆସୁଥିବା ସରକାର, ବର୍ତ୍ତମାନ ମହିଳା ନିର୍ଯାତନା ଓ ଦୁଷ୍କର୍ମରେ ଓଡ଼ିଶାକୁ ଦେଶରେ ଏକ ନମ୍ବର କରିଥିଲାବେଳେ ଏହାକୁ କଣ୍ଟ୍ରୋଲ କରିବା ପାଇଁ କୌଣସି ପଦକ୍ଷେପ ନନେବା, ସରକାରଙ୍କ ପାରିବାପଣିଆ ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି ।
୩- ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲକ୍ଷ ଲକ୍ଷ ଯୁବପିଢି ରୋଜଗାର ପାଇଁ ଦାଦନ ଖଟିବାକୁ ଯାଉଥିବ କଥାକୁ ସରକାର ଏଡ଼ାଇଦେଇ ପାରିବେ ନାହିଁ । ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଏବଂ ନିର୍ବାଚନ ପରେ ରୋଜଗାର ଯୋଗାଇଦେବାର କୌଣସି ବ୍ୟବସ୍ଥା ନକରିବା ଏହା ସଂପୂର୍ଣ୍ଣ ରାଜ୍ୟର ଯୁବବର୍ଗଙ୍କ ପ୍ରତି ପ୍ରତାରଣାର ବିଷୟ ପାଲଟିଛି ।
୪- ରାଜ୍ୟର ଠିକା କର୍ମଚାରୀ ଏବଂ ବିଶେଷ ଭାବରେ ସ୍ୱାସ୍ଥ୍ୟମିତ୍ରମାନଙ୍କୁ ଛଟେଇ କରିବା ଏହା ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିଗରେ ଏକ ମନମୁଖି ନିଷ୍ପତ୍ତି ଏବଂ ସମ୍ପୂର୍ଣ ବେଆଇନ । ଏହି ବିଷୟକୁ ଗୁରୁତ୍ୱ ଦେଇ ବିକ୍ଷୋଭ ସ୍ଥଳରେ ସ୍ୱର ଶାଣିତ କରାଯିବ ।
୫- ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ହୋଇ ଯେଉଁଭଳି ଭାବରେ ସିଜିମାଳିର ନିରୀହ ଆଦିବାସୀ ମାନଙ୍କର ଜଙ୍ଗଲ, ଜଳ ଓ ଜମିକୁ ବେଆଇନ ଭାବେ କମ୍ପାନୀ ହାତକୁ ଟେକିଦେଇ ସେମାନଙ୍କୁ ପୋଲିସ୍ ଦ୍ୱାରା ମାଡ଼ ମାରି ଲହୁଲୁହାଣ କରାଇଲେ ଏହାର ମଧ୍ୟ ଜବାବ ମଗାଯିବ।
ଶ୍ରୀ ଲେଙ୍କା ଓଡ଼ିଶାର ଯୁବବର୍ଗମାନଙ୍କୁ ବିକ୍ଷୋଭରେ ସାମିଲ ହେବାପାଇଁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୌନକ୍ ସୁବାଶିଷ ସାମଲ, ନାଗେଶ୍ୱରୀ ସ୍ୱାଇଁ, ସୁଧୀର ରାଉତ, ପ୍ରିୟବତ ସାହୁ ଓ କୃଷ୍ଣାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।






