କୋଲକାତା, ୨୨ ଅଗଷ୍ଟ : ପାକିସ୍ତାନ ପାଇଁ ଗୁପ୍ତଚରଗିରି କରିବା ସନ୍ଦେହରେ ଦିଲ୍ଲୀରୁ ଗିରଫ ହୋଇଥିବା ଶିଲିଗୁଡ଼ି ନିବାସୀ ପ୍ରଦୀପ୍ତ କୁମାର ସରକାରଙ୍କୁ ନେଇ ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)ର ତଦନ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତ ଏଜେନ୍ସିଗୁଡ଼ିକ ଅନୁଯାୟୀ, ପ୍ରଦୀପ୍ତ ହାୱାଲା ନେଟୱର୍କ ସହ ଜଡ଼ିତ ଥିଲା ଏବଂ ବାଂଲାଦେଶ ରାସ୍ତା ଦେଇ ପାକିସ୍ତାନ ସହ ଜଡ଼ିତ ଲୋକମାନଙ୍କ ପାଖକୁ ଟଙ୍କା ପହଂଚାଇବାରେ ତାହାର ଭୂମିକା ଥିଲା। ତଦନ୍ତକାରୀମାନଙ୍କ ଆଶଙ୍କା ଯେ, ହାୱାଲା ମାଧ୍ୟମରେ ପଠାଯାଇଥିବା ଏହି ଟଙ୍କା ଆଗକୁ ପାକିସ୍ତାନୀ ଗୁପ୍ତଚର ଏବଂ ସେମାନଙ୍କ ସ୍ଲିପର ସେଲ ପର୍ଯ୍ୟନ୍ତ ପହଂଚୁଥିଲା।
ଏସଟିଏଫ ଅନୁଯାୟୀ, ପ୍ରଦୀପ୍ତ ଏହି ନେଟୱର୍କ ପାଇଁ ଏକ ବିଶେଷ ମୋବାଇଲ ସିମ କାର୍ଡ ବ୍ୟବହାର କରୁଥିଲା। ତଦନ୍ତରେ ଏହା ସାମ୍ନାକୁ ଆସିଛି ଯେ ଏହି ସିମ ପାକିସ୍ତାନରୁ ପରିଚାଳିତ ହେଉଥିଲା। ଏସଟିଏଫ ପ୍ରଦୀପ୍ତ ପାଖରୁ ଜବତ ସିମ କାର୍ଡକୁ ଫୋରେନସିକ ଯାଂଚ ପାଇଁ ପଠାଇଛି। ତଦନ୍ତକାରୀମାନେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଏହି ସିମକୁ କିଏ ପରିଚାଳନା କରୁଥିଲା ଏବଂ ଏହା ମାଧ୍ୟମରେ କେଉଁ ଲୋକମାନଙ୍କ ସହ ଯୋଗାଯୋଗ କରାଯାଉଥିଲା।
ତଦନ୍ତ ଅନୁଯାୟୀ, ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ଜଡ଼ିତ ସନ୍ଦିଗ୍ଧ ନେଟୱର୍କ ନେପାଳକୁ କରିଡର ଭାବେ ବ୍ୟବହାର କରି ଉତରବଙ୍ଗ ଏବଂ ପରେ ବାଂଲାଦେଶ ପର୍ଯ୍ୟନ୍ତ ହାୱାଲାର ନେଟୱର୍କ ପ୍ରସ୍ତୁତ କରିଥିଲା। ପ୍ରଦୀପ୍ତ ଏହି ନେଟୱର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଡ଼ି ଭାବେ କାମ କରୁଥିଲା। ବାଂଲାଦେଶରେ ତାହାର କିଛି ସହଯୋଗୀଙ୍କ ଭୂମିକାର ମଧ୍ୟ ତଦନ୍ତ କରାଯାଉଛି।
ସୂତ୍ର ଅନୁଯାୟୀ, ହାୱାଲା ମାଧ୍ୟମରେ ପଠାଯାଇଥିବା ଟଙ୍କା ବାଂଲାଦେଶରେ ଥିବା ନେଟୱର୍କର ଲୋକମାନଙ୍କ ପାଖକୁ ପହଂଚୁଥିଲା ଏବଂ ସେଠାରୁ ଏହା ପାକିସ୍ତାନ ସହ ଜଡ଼ିତ ସନ୍ଦିଗ୍ଧ ଲୋକମାନଙ୍କ ତଥା ସ୍ଲିପର ସେଲ ପର୍ଯ୍ୟନ୍ତ ପହଂଚୁଥିବା ଆଶଙ୍କା ରହିଛି। ହାୱାଲା ସହ ଜଡ଼ିତ ଲେନଦେନର ହିସାବ-କିତାବ ଦେଖିବା ପାଇଁ ପ୍ରଦୀପ୍ତଙ୍କୁ ସମୟ ସମୟରେ ବାଂଲାଦେଶ ମଧ୍ୟ ଯିବାକୁ ପଡ଼ୁଥିଲା। ଏହି ସମୟରେ ତଦନ୍ତ ଏଜେନ୍ସିଗୁଡ଼ିକର ନଜର ତାଙ୍କ ଉପରେ ପଡ଼ିଥିଲା।



