ନୂଆଦିଲ୍ଲୀ, ୨୪ ଅଗଷ୍ଟ : - ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଜୁନରେ ଫ୍ରାନ୍ସରେ ଜି-୭ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ ବିଦେଶ ମନ୍ତ୍ରଣାଳୟର ଗଣମାଧ୍ୟମର ପ୍ରଶ୍ନ ନ ନେବାକୁ ଅନୁରୋଧ ଆମେରିକୀୟ ରାଷ୍ଟ୍ରପତିଙ୍କ ଅପ୍ରତ୍ୟାଶିତ ବ୍ୟବହାର ଯୋଗୁଁ ଏକ ସତର୍କ ଆଭିମୁଖ୍ୟ ଥିଲା।
ଆମେରିକୀୟ ରାଜଦୂତ ସର୍ଜିଓ ଗୋରଙ୍କ ଦ୍ୱାରା ନିକଟରେ ଏ ସମ୍ପର୍କରେ କରାଯାଇଥିବା ମନ୍ତବ୍ୟକୁ ନେଇ ଗଣମାଧ୍ୟମର ପ୍ରଶ୍ନ ଉପରେ ସରକାରଙ୍କ ଉଚ୍ଚପଦସ୍ଥ ସୂତ୍ରମାନେ କହିଛନ୍ତି ଯେ ବିଦେଶ ମନ୍ତ୍ରଣାଳୟ ଏହି ଅନୁରୋଧ ଏକ ମାନକ ପ୍ରକ୍ରିୟା ଅନୁଯାୟୀ କରିଥିଲା। ସୂତ୍ରମାନେ କହିଛନ୍ତି ଯେ କୌଣସି ଅତିବିଶିଷ୍ଟ ବ୍ୟକ୍ତି (ଭିଭିଆଇପି)ଙ୍କ ଗସ୍ତ ପୂର୍ବରୁ ନେତାମାନଙ୍କ ସାର୍ବଜନୀନ ଉପସ୍ଥିତିର ବ୍ୟବସ୍ଥା ଉପରେ ଆଲୋଚନା କରିବା ସାଧାରଣ ପ୍ରକ୍ରିୟା। ଏ ସମ୍ପର୍କରେ ଭାରତୀୟ ପକ୍ଷ ଏପରି ଗସ୍ତ ପାଇଁ ନିଜର ମାନକ ପ୍ରକ୍ରିୟା ବିଷୟରେ ଅବଗତ କରାଇଥିଲା। ଆମେରିକୀୟ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ସମୟରେ ପ୍ରତିନିଧିମଣ୍ଡଳ ତାଙ୍କର ଅପ୍ରତ୍ୟାଶିତ ବ୍ୟବହାର ପ୍ରତି ସତର୍କ ରହନ୍ତି, ଯେପରି ଦକ୍ଷିଣ ଆଫ୍ରିକା, ୟୁକ୍ରେନର ରାଷ୍ଟ୍ରପତିମାନଙ୍କ ସହ ତାଙ୍କର ଆଲୋଚନାରୁ ସ୍ପଷ୍ଟ ହୁଏ। ତେଣୁ ଭାରତର ଏହା ସତର୍କ ଆଭିମୁଖ୍ୟ।
ଉଲ୍ଲେଖନୀୟ ଯେ ଆମେରିକୀୟ ରାଜଦୂତ ସର୍ଜିଓ ଗୋର ଏକ ଗଣମାଧ୍ୟମ ସଂଳାପ କାର୍ଯ୍ୟକ୍ରମରେ ଦାବି କରିଥିଲେ ଯେ ୧୭ ଜୁନରେ ଫ୍ରାନ୍ସରେ ଜି୭ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକରେ ଭାରତର ବିଦେଶ ମନ୍ତ୍ରଣାଳୟ ପ୍ରଶ୍ନୋତର ବିନା ଗଣମାଧ୍ୟମ ସହ କଥାବାର୍ତା କରିବାକୁ ଅନୁରୋଧ କରିଥିଲା। ତେବେ, ରାଜଦୂତଙ୍କ ଅନୁଯାୟୀ ଟ୍ରମ୍ପ ବିଦେଶ ମନ୍ତ୍ରଣାଳୟର ଅନୁରୋଧକୁ ଅଣଦେଖା କରି ଗଣମାଧ୍ୟମର ପ୍ରଶ୍ନର ଉତର ଦେଇଥିଲେ।


