ନୂଆଦିଲ୍ଲୀ, 24 ଅଗଷ୍ଟ : – ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଆଜି ଠାରୁ ୨୭ ପର୍ଯ୍ୟନ୍ତ ଜାପାନ ଗସ୍ତ କରିବେ । ଏହି ସମୟରେ ସେ ଟୋକିଓ, ନାଗୋୟା ଏବଂ ଓସାକା ଗସ୍ତ କରିବେ ଏବଂ ଭାରତର ସର୍ବବୃହତ୍ ବ୍ୟବସାୟିକ ପ୍ରତିନିଧି ଦଳକୁ ଜାପାନ ନେଇଯିବେ । ଏହି ପ୍ରତିନିଧି ଦଳରେ ଉତ୍ପାଦନ, ସେମିକଣ୍ଡକ୍ଟର, ସ୍ୱଚ୍ଛ ଶକ୍ତି, ଇସ୍ପାତ, ଅଟୋମୋବାଇଲ, ଆର୍ôଥକ ସେବା, ସ୍ୱାସ୍ଥ୍ୟସେବା ଏବଂ ଷ୍ଟାର୍ଟଅପ୍ ଭଳି କ୍ଷେତ୍ରର ୨୦୦ରୁ ଅଧିକ ବ୍ୟବସାୟିକ ନେତା ସାମିଲ ଅଛନ୍ତି ।
କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଟୋକିଓରେ ମନ୍ତ୍ରୀ ଜାପାନର ଶୀର୍ଷ ଶିଳ୍ପ ସଂସ୍ଥା ଏବଂ କମ୍ପାନୀଗୁଡ଼ିକର ନେତୃତ୍ୱଙ୍କୁ ଭେଟିବେ । ଏହାବ୍ୟତୀତ, ଜାପାନ ବିଜନେସ୍ ଫେଡେରେସନ୍(କେଇଡାନ୍ରେନ୍) ସହିତ ଏକ ଗୋଲଟେବୁଲ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ସେମିକଣ୍ଡକ୍ଟର, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଷ୍ଟାର୍ଟଅପ୍ ଏବଂ ବିଦେଶୀ ନିବେଶକଙ୍କ ସହ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ହେବ । ଗୋୟଲ ଜାପାନର ଅର୍ଥ ବ୍ୟବସ୍ଥା, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଆକାଜାୱା ରିଓସେଇଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଜାପାନ ସଂସଦ ଏବଂ ସରକାରଙ୍କ ବରିଷ୍ଠ ସଦସ୍ୟମାନଙ୍କୁ ମଧ୍ୟ ଭେଟିବେ ।
ନାଗୋୟାରେ ଗୋୟଲ ଚୁକିରେନ୍(ସେଂଟ୍ରାଲ୍ ଜାପାନ ଇକୋନୋମିକ ଫେଡେରେସନ୍) ଏବଂ ନାଗୋୟା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସହିତ ରୋଡ଼ ସୋ କରିବେ । ଅଟୋମୋବାଇଲ ଏବଂ ଇସ୍ପାତ କ୍ଷେତ୍ରର ନିବେଶକମାନଙ୍କ ସହିତ ମଧ୍ୟ ଆଲୋଚନା ହେବ ।
ଏହି ଗସ୍ତ ଓସାକାରେ ଏକ ନିବେଶକ ଏବଂ ବ୍ୟବସାୟିକ ରୋଡ଼ ସୋ ସହିତ ସମାପ୍ତ ହେବ ।



