କୋଲକାତା : କଲକାତା ହାଇକୋର୍ଟ ତୃଣମୂଳ କଂଗ୍ରେସର ଜାତୀୟ ମହାସଚିବ ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ ବ୍ୟକ୍ତିଗତ ସହାୟକ ସୁମିତ ରୟଙ୍କ ବିରୋଧରେ ଦାଖଲ ସମସ୍ତ ପ୍ରାଥମିକୀ ଉପରେ ପଶ୍ଚିମବଙ୍ଗର ପୋଲିସ ମହାନିର୍ଦ୍ଦେଶକଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ନ୍ୟାୟମୂର୍ତି ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଏକକ ପୀଠ ସୋମବାର ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ପରବର୍ତୀ ଶୁଣାଣିର ତାରିଖ ୧୦ ସେପ୍େଟମ୍ବର ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଦାଲତ ଅନ୍ତରୀଣ ଆଦେଶରେ କହିଛନ୍ତି ଯେ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ପୋଲିସ ସୁମିତ ରୟଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ କରିପାରିବ ନାହିଁ। ଯଦି ଏହି ସମୟ ମଧ୍ୟରେ ପୋଲିସ ପକ୍ଷରୁ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ କରିବାକୁ ଚେଷ୍ଟା କରାଯାଏ ତେବେ ରୟ ନିଜ ଓକିଲଙ୍କ ମାଧ୍ୟମରେ ଅଦାଲତର ଧ୍ୟାନ ଏହି ମାମଲା ଆଡ଼କୁ ଆକର୍ଷିତ କରିପାରିବେ।
ଶୁଣାଣି ସମୟରେ ରୟଙ୍କ ଓକିଲ ଅଦାଲତଙ୍କୁ କହିଥିଲେ ଯେ ତାଙ୍କ ମହକିଲ ରାଜ୍ୟ ପୋଲିସ ପକ୍ଷରୁ ଦାଖଲ ସମସ୍ତ ମାମଲାର ତଦନ୍ତରେ ସହଯୋଗ କରୁଛନ୍ତି। ତଦନ୍ତ ଅଧିକାରୀଙ୍କ ପକ୍ଷରୁ ଯେତେବେଳେ ବି ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି, ସେ ଉପସ୍ଥିତ ହୋଇଛନ୍ତି। ଓକିଲ ଦାବି କରିଥିଲେ ଯେ ରୟଙ୍କ ବିରୋଧରେ ପ୍ରଥମ ଏଫଆଇଆର ୫ ଜୁନରେ ଦାଖଲ ହୋଇଥିଲା। ଏହାପରେ ୧୬ ଜୁନରେ ଦ୍ୱିତୀୟ ଏଫଆଇଆର ଦାଖଲ ହୋଇଥିଲା ଏବଂ ପରେ ଆହୁରି ଅନେକ ମାମଲା ଦାଖଲ ହୋଇଥିଲା। ତାଙ୍କ ଅଭିଯୋଗ ଥିଲା ଯେ ପୋଲିସ ପ୍ରାୟ ପ୍ରତିଦିନ ନୂଆ ମାମଲା ଦାଖଲ କରି ରୟଙ୍କୁ ହଇରାଣ କରୁଛି।
ଏହି ଯୁକ୍ତିଗୁଡ଼ିକ ପରେ ହାଇକୋର୍ଟ ରାଜ୍ୟ ପୋଲିସଠାରୁ ରୟଙ୍କ ବିରୋଧରେ ଏପର୍ଯ୍ୟନ୍ତ ଦାଖଲ ସମସ୍ତ ଏଫଆଇଆରର ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲେ।
ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ମହାଧିବକ୍ତା ରାଜଦୀପ ମଜୁମଦାର ହାଇକୋର୍ଟରେ ଶୁଣାଣି ଉପରେ ରୋକ ଲଗାଇବାକୁ ଦାବି କରିଥିଲେ। ସେ ଯୁକ୍ତି ଦେଇଥିଲେ ଯେ ରୟଙ୍କ ସହ ଜଡିତ ଏହିପରି ଏକ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ସେ ଅଦାଲତଙ୍କୁ ଏହା ମଧ୍ୟ କହିଥିଲେ ଯେ ରୟଙ୍କ ମାଧ୍ୟମରେ ଏକ ବିଶେଷ ବ୍ୟାଙ୍କ ଖାତାକୁ ୨୦ କୋଟି ଟଙ୍କାର ରାଶି ହସ୍ତାନ୍ତର କରାଯାଇଥିଲା।
ରାଜ୍ୟ ପୋଲିସ ସୁମିତ ରୟଙ୍କ ବିରୋଧରେ ମୁଖ୍ୟତଃ ଦୁଇଟି ଅଭିଯୋଗ ଲଗାଇଛି। ଏଥିରେ ପ୍ରଥମ ଅଭିଯୋଗ ବେଆଇନ ଭାବେ ଜମି ଦଖଲ କରିବା ସହ ଜଡିତ ଥିବାବେଳେ, ଦ୍ୱିତୀୟ ଅଭିଯୋଗ ପୂର୍ବତନ ମମତା ବାନାର୍ଜୀ ସରକାରଙ୍କ କାର୍ଯ୍ୟକାଳରେ ହୋଇଥିବା ସରକାରୀ ନିଯୁକ୍ତିରେ ଅନିୟମିତତା ସହ ସମ୍ପର୍କିତ। ମାମଲାର ପରବର୍ତୀ ଶୁଣାଣି ୧୦ ସେପ୍େଟମ୍ବରରେ ହେବ।


