ପଶ୍ଚିମ ଚମ୍ପାରଣ, ୨୨ ଅଗଷ୍ଟ : ଶୁକ୍ରବାର ବିଳମ୍ବିତ ରାତିରେ ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଲୌରିୟା ଥାନା ଅଂଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ପାଂଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଦ୍ରୁତ ଗତିରେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ବେତିୟା-ଲୌରିୟା ମୁଖ୍ୟ ରାସ୍ତାରେ ପରାଉ ଟୋଲା ବନକଟୱା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଚାଲିଥିବା ଏକ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମରେ ପଶି ଯାଇଥିଲା । ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ଉପରେ ମାଡି ଯାଇଥିଲା । ମୃତକମାନେ ହେଉଛନ୍ତି ବାହାଦୁର ମହତୋ, ସଞ୍ଜୟ କୁମାର, ଭୋଲା ଦୁବେ, ଦେବେନ୍ଦ୍ର ଦୁବେ ଏବଂ ଛଙ୍ଗୁର ରାମ, ସମସ୍ତେ ଲୌରିୟା ଥାନା ଅନ୍ତର୍ଗତ ବନକଟୱା ଅଂଚଳର ବାସିନ୍ଦା ।
ଖବର ମିଳିଛି ଯେ, ଦେବେନ୍ଦ୍ର ଦୁବେଙ୍କ ପୁଅଙ୍କର ଛଠି କାର୍ଯ୍ୟକ୍ରମ ଚାଲିଥିଲା ଏବଂ ଏହି ଅବସରରେ ହିଁ ଅର୍କେଷ୍ଟ୍ରା ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଦେଖିବା ପାଇଁ ରାସ୍ତା କଡ଼ରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ ।
ପୋଲିସର କହିବା ଅନୁଯାୟୀ, ଯାତ୍ରୀବାହୀ ବସ୍ ଗୋରଖପୁରରୁ ବେତିୟା ଯାଉଥିଲା । ବଗାହା-ଲୌରିୟା ମୁଖ୍ୟ ରାସ୍ତାରେ ଏକ ଦ୍ରୁତଗାମୀ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ଏଡ଼ାଇବାକୁ ଚେଷ୍ଟା କରୁଥିବାବେଳେ ବସ୍ ଡ୍ରାଇଭର ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ । ଅନିୟନ୍ତ୍ରିତ ବସ୍ ରାସ୍ତା ପାର୍ଶ୍ୱରେ ଚାଲିଥିବା ଅର୍କେଷ୍ଟ୍ରା କାର୍ଯ୍ୟକ୍ରମରେ ପଶି ଯାଇଥିଲା । ଏବଂ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରେ ମାଡି ଯାଇଥିଲା ।
ଦୁର୍ଘଟଣା ପରେ ସେଠାରେ ଲୋକଙ୍କ ଭାଗଦୌଡ଼ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସୂଚନା ପାଇବା ପରେ, ଲୌରିୟା ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଂଚି ଥିଲା ଏବଂ ଆହତମାନଙ୍କୁ ଏକ ଆମ୍ବୁଲାନ୍ସ ସହାୟତାରେ ବେତିୟା ସ୍ଥିତ ଜି. ଏମ୍. ସି. ଏଚ୍.କୁ ନିଆଯାଇଥିଲା । ଆହତମାନେ ସେଠାରେ ଚିକିତ୍ସିତ ହେଉଛନ୍ତି । ଆହତମାନଙ୍କ ମଧ୍ୟରେ ବିନୟ କୁମାର ଯାଦବ, ଶ୍ୟାମ ବାବୁ, ମୋତି ଚନ୍ଦ୍ର ମହତୋ ଏବଂ ନରେଶ ରାମଙ୍କ ସମେତ ଅନ୍ୟ କେତେକ ଲୋକ ସାମିଲ୍ ଅଛନ୍ତି ।
ଏହି ଘଟଣା ପରେ ଉତ୍ୟେକ୍ତ ସ୍ଥାନୀୟ ଲୋକେ ବସ୍ ଏବଂ ଟ୍ରକକୁ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ । ଦୁର୍ଘଟଣା ସମୟରେ ବସ୍ ରେ ପ୍ରାୟ ୧୫ ଜଣ ଯାତ୍ରୀ ଥିଲେ । ଉତ୍ୟେକ୍ତ ଲୋକେ ସମସ୍ତ ଯାତ୍ରୀଙ୍କୁ ବସ୍ ରୁ ଓହ୍ଲାଇ ଦେଇଥିଲେ ଏବଂ ପରେ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ ।



