ପାଳଲହଡା ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ନମପସି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତପ୍ତ ଝରଣ ଗ୍ରାମର ଜଣେ ସାଧାରଣ ଚାଷୀ ପରିବାରର ପୁଅ ଶୁକୃ ମହାନ୍ତ ଚଳିତ ବର୍ଷର NEET ପ୍ରବେଶିକା ପରୀକ୍ଷାରେ ୭୨୦ରୁ ୫୭୦ ନମ୍ବର ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳର ନାଁକୁ ଉଜ୍ଜ୍ୱଳ କରିଛନ୍ତି। ଶୁକୃ, ତପ୍ତ ଝରଣ ଗ୍ରାମର ଚାଷୀ ପ୍ରଶ୍ନ ମହାନ୍ତ ଓ ଗୁରୁବାରୀ ମହାନ୍ତଙ୍କ ପୁଅ। ଆର୍ଥିକ ଓ ପାରିବାରିକ ସୀମିତ ସମ୍ବଳ ମଧ୍ୟରେ ଅକ୍ଳାନ୍ତ ପରିଶ୍ରମ, ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଏହି ସଫଳତା ହାସଲ କରିପାରିଛନ୍ତି।
ତାଙ୍କ ସଫଳତା କେବଳ ପରିବାର ପାଇଁ ନୁହେଁ, ସମଗ୍ର ପାଳଲହଡା ଅଞ୍ଚଳର ଯୁବପିଢ଼ି ପାଇଁ ମଧ୍ୟ ପ୍ରେରଣା ସାଜିଛି। ଏହି ଉଲ୍ଲେଖନୀୟ ସଫଳତା ପରେ ଆଜି ପାଳଲହଡାର ପୂର୍ବତନ ବିଧାୟକ ତାଙ୍କ ବାସଭବନରେ ପହଞ୍ଚି ଶୁକୃଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମିଷ୍ଟାନ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେ ଶୁକୃଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ କଠିନ ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ନିଷ୍ଠା ହିଁ ସଫଳତାର ଚାବିକାଠି ବୋଲି କହିଥିଲେ। ସମ୍ବର୍ଦ୍ଧନା ଅବସରରେ ଶୁକୃ ମହାନ୍ତ କହିଥିଲେ ଯେ, ତାଙ୍କର ଲକ୍ଷ୍ୟ ଜଣେ ଦକ୍ଷ ଡାକ୍ତର ହୋଇ ପାଳଲହଡା ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା। ନିଜ ଜନ୍ମମାଟିର ସେବା କରିବାର ସ୍ୱପ୍ନ ତାଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉଛି ବୋଲି ସେ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାୟକ, ନମପସି ବିଜେଡି ସଭାପତି ଛତିଶ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ, ପୂର୍ବତନ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶୁକୃଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମସ୍ତେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଶୁକୃଙ୍କ ସଫଳତାରୁ ପ୍ରେରଣା ନେଇ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରନ୍ତୁ ବୋଲି ମତ ପ୍ରକାଶ କରିଥିଲେ। ଶୁକୃ ମହାନ୍ତଙ୍କ ଏହି ସଫଳତା ପାଳଲହଡା ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ନୂଆ ଆଶା ଓ ପ୍ରେରଣା ସୃଷ୍ଟି କରିଥିବାବେଳେ ତାଙ୍କ ଭବିଷ୍ୟତ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।





