ପୁରୀ : ପବିତ୍ର ରଥଯାତ୍ରା, ବାହୁଡା଼ ଯାତ୍ରା ଏବଂ ସୁନାବେଶ ୨୦୨୬ ଅବସରରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ସୁଗମ, ସୁରକ୍ଷିତ ଓ ଶୃଙ୍ଖଳିତ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ବସ୍ ମାଲିକ ସଂଘ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଅତିରିକ୍ତ ଏସପି ସଚିନ ପଟେଲ, ଟ୍ରାଫିକ୍ ଡିଏସପି ବିଜୟ ରତ୍ନମ, ଆଇଆଇସି ଟ୍ରାଫିକ୍ ଶ୍ରୀମତୀ ସଙ୍ଗୀତା ଦାଶ, ଆର୍ଟିଓ ପୁରୀ, ଏମ୍ଭିଆଇ ଏବଂ ପୁଲିସ ଓ ପରିବହନ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବସ୍ ମାଲିକ ସଂଘର ପଦାଧିକାରୀ ଓ ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗଦେଇ ନିଜ ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ।
ବୈଠକରେ ନିୟମିତ ବସ୍, ପର୍ଯ୍ୟଟକ ବସ୍ ଏବଂ ଟାଉନ୍ ବସ୍ର ଚଳାଚଳ, ନିର୍ଦ୍ଧାରିତ ରୁଟ୍, ପାର୍କିଂ ବ୍ୟବସ୍ଥା, ଯାତ୍ରୀ ଉଠାଣି ଓ ଓହ୍ଲାଣି ସ୍ଥାନ, ଯାତାୟାତ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଏବଂ ଟ୍ରାଫିକ୍ ଆଡଭାଇଜରୀର ସଠିକ୍ ପାଳନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷକରି ରଥଯାତ୍ରା, ବାହୁଡା଼ ଯାତ୍ରା ଓ ସୁନାବେଶ ସମୟରେ ବିପୁଳ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସମସ୍ତ ପରିବହନ ସେବାକୁ ସୁଚାରୁ ଓ ସମନ୍ୱିତ ଭାବେ ପରିଚାଳନା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପୁରୀ ପୋଲିସ ପକ୍ଷରୁ ବସ୍ ମାଲିକ ସଂଘକୁ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଟ୍ରାଫିକ୍ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା, ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ଏବଂ ଯାତାୟାତ ପରିଚାଳନାରେ ପୁଲିସ ଓ ପରିବହନ ବିଭାଗକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା। ପୁରୀ ପୋଲିସ ସମସ୍ତ ସମ୍ପୃକ୍ତ ବିଭାଗ ଓ ପରିବହନ ସଂଗଠନଙ୍କ ସହ ସମନ୍ୱୟ ରକ୍ଷା କରି ରଥଯାତ୍ରାର ପ୍ରତ୍ୟେକ ପର୍ବକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଭକ୍ତମାନଙ୍କ ପାଇଁ ସୁଗମ କରିବାକୁ ପ୍ରତିବଦ୍ଧ।






