ଝାରସୁଗୁଡ଼ା, ୧ ଅଗଷ୍ଟ - ସମ୍ବଲପୁରୀ ଭାଷା ଓ ସଂସ୍କୃତିର ପ୍ରଖ୍ୟାତ ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ଶନିବାର ଝାରସୁଗୁଡ଼ାରେ ସମ୍ବଲପୁରୀ ଦିନ୍ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସାହର ସହ ପାଳନ କରାଯାଇଛି। ସହରରେ ଅନୁଷ୍ଠିତ ଶୋଭାଯାତ୍ରା, ସାଂସ୍କୃତିକ ପରିବେଷଣ ଓ ସମ୍ମାନ ସମାରୋହ ସମ୍ବଲପୁରୀ ପରମ୍ପରାର ଐତିହ୍ୟକୁ ସ୍ମରଣୀୟ ରୂପ ଦେଇଥିଲା। ପଶ୍ଚିମ ଓଡ଼ିଶା ଏକତା ମଞ୍ଚର ଆୟୋଜନରେ କନକଦୁର୍ଗା ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ମଙ୍ଗଳ ବଜାର ଅଡିଟୋରିୟମ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ପାରମ୍ପରିକ ପୋଷାକ, ବାଦ୍ୟଯନ୍ତ୍ର ଓ କଳସ ଶୋଭାଯାତ୍ରା ଏହାର ପ୍ରମୁଖ ଆକର୍ଷଣ ଥିଲା। ପୂର୍ବତନ ବିଧାୟିକା ଦୀପାଳୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳସ ଯାତ୍ରାରେ ସାମିଲ ହୋଇ ଉତ୍ସବର ଶୋଭା ବଢ଼ାଇଥିଲେ। ମୁଖ୍ୟ ସଭାରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ବିଭିନ୍ନ କଳାକାରଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ଲୋକସଙ୍ଗୀତ ଓ ସାଂସ୍କୃତିକ ପରିବେଷଣ ଦର୍ଶକଙ୍କ ମନ ଜିଣିଥିଲା।
ଅନ୍ୟପଟେ ଝାରସୁଗୁଡ଼ା ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ମଞ୍ଚ ପକ୍ଷରୁ ମଧ୍ୟ କନକଦୁର୍ଗା ମନ୍ଦିରରୁ ଏମ୍ସିଏଲ୍ ଅଡିଟୋରିୟମ୍ ପର୍ଯ୍ୟନ୍ତ ଆଉ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ଭିନ୍ନକ୍ଷମ କ୍ରିକେଟ୍ ଖେଳାଳିଙ୍କୁ ସ୍ପୋର୍ଟ୍ସ ହୁଇଲ୍ଚେୟାର ପ୍ରଦାନ କରିଥିଲେ। ସେ ରଙ୍ଗୋଲି ଓ ଚିତ୍ରକଳା ପ୍ରଦର୍ଶନୀର ଶୁଭାରମ୍ଭ କରି ସମ୍ବଲପୁରୀ ଭାଷା ଓ ସଂସ୍କୃତିର ବିଶ୍ୱବ୍ୟାପୀ ପରିଚିତି ଉପରେ ମତ ପ୍ରକାଶ କରିଥିଲେ।
ଦିନବ୍ୟାପୀ ବିଭିନ୍ନ ସ୍କୁଲ୍, ନୃତ୍ୟାନୁଷ୍ଠାନ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ ସନ୍ଧ୍ୟାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଉତ୍ସବରେ ହଜାର ହଜାର ଲୋକ, ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ସମ୍ବଲପୁରୀ ଭାଷା ଓ ସଂସ୍କୃତି ପ୍ରତି ସେମାନଙ୍କର ଆଗ୍ରହ ଓ ଆତ୍ମୀୟତାକୁ ପ୍ରତିଫଳିତ କରିଥିଲା।





