ପୁରୀ, 27 ଜୁଲାଇ :ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ |ଚଳିତ ମାସ ୧୬ ତାରିଖ ଶ୍ରୀଗୁଣ୍ଡିଚା ଯାତ୍ରା ର ବାର ଦିନ ଆଜି ସୋମବାରେ ଚତୃର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିର କୁ ପ୍ରବେଶ କରି ରତ୍ନସିଂହାସନ ରେ ବିଜେ କରିବେ | ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧର ପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନାଧୃଷ୍ଠିତହୋଇଥାନ୍ତି । ଶାସ୍ତ୍ରରେ ଯଦିଓ ଉଲ୍ଲେଖ ରହିଛି ଦ୍ଵାଦଶୀ ଦିନ ମହାପ୍ରଭୁ ନୀଳାଦ୍ରି ବିଜେକରନ୍ତି , କିନ୍ତୁ ପ୍ରକୃତ ପକ୍ଷେ ଏକାଦଶୀ ଦିନ ସୁନାବେଶ, ଦ୍ଵାଦଶୀରେ ଅଧର ପଣା ଓ ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଥାଏ । ଏହି ପରମ୍ପରା ଦୀର୍ଘ ଅନେକ ବର୍ଷଧରି ଅନୁସୃତ ହୋଇ ଆସୁଅଛି I
ନୀଳାଦ୍ରି ବିଜେ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏ ସମ୍ବନ୍ଧରେ ଆଲୋଚନା କରାଯାଇ ପହଣ୍ଡି ହୋଇଥାଏ ।ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁରମାନଙ୍କର ସନ୍ଧ୍ୟା ଧୂପ ନୀତି ସରିବାପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇଥାଏ । ପ୍ରଥମେ ବିଜେ କାହାଳୀ ବାଜିବାପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣି ଘରକୁ ବିଜେକରାଇଥାନ୍ତି । ତତ୍ପରେ ଗୋଟି ପହଣ୍ଡି କ୍ରମରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ । ପହଣ୍ଡି ବିଜେ ପୂର୍ବରୁ ରନୃସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଏବଂ ଅଖଣ୍ଡ ବଇଠା ବସେ ।
ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳ ଠାରେ ପ୍ରସାଦ ଲାଗି, ଘସା,ବିଡ଼ିଆ ମଣୋହି ଓ ବନ୍ଦାପନା ନୀତି ବଢ଼ିଥାଏ । ଜଗମୋହନଠାରେ ମଧ୍ୟ ଏହି ନୀତିପାଳିତ ହୋଇଥାଏ । ସୂଚନାଯୋଗ୍ୟ ଯେ, ଗୁଣ୍ଡିଚା ମନ୍ଦିର ଠାରେ ରଥ ଉପରୁଠାକୁରମାନେ ଗୁଣ୍ଡିଚା ଘର ସିଂହାସନକୁ ପହଣ୍ଡି ବିଜେ କରିବା ସମୟରେ ରଥ ଉପରେ ଯେଉଁ ପ୍ରକାର ନୀତି ଅନୁସୃତ ହୋଇଥାଏ, ଠିକ୍ ସେହିପରି ସିଂହଦ୍ଵାର ଠାରେ ନୀଳାଦ୍ରିବିଜେ ପହଣ୍ଡିରେ ସମ ନୀତି ପାଳିତ ହୁଏ ।ଶ୍ରୀଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି । ଉଭୟ ଶ୍ରୀଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥାନ୍ତି । ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତିବଢ଼ାଇଥାନ୍ତି । ଏହି ସମୟରେ ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ଵାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ଵାର ବନ୍ଦ ରହିଥାଏ ଓ କିଛି କ୍ଷଣ ପରେ ଦ୍ଵାରଖୋଲିଯାଏ । ପୁନଶ୍ଚ ଶ୍ରୀଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ଵାର ନିକଟରେ ବିଜେ କରିବା ସମୟରେ ଉକ୍ତ ଦ୍ଵାର ଭିତର ପଟୁ ବନ୍ଦ କରାଯାଇଥାଏ ।
ଲକ୍ଷ୍ମୀ ଠାକୁରାଣୀଙ୍କତରଫରୁ ଜୟ ବିଜୟ ଦ୍ଵାରର ଭିତର ପଟେ ଜନୈକ ଦେବବାସୀବେଶଧାରୀ ଏବଂ ମହାପ୍ରଭୁଙ୍କତରଫରୁ ଜଣେ ଦଇତାପତି ଦ୍ଵାରର ଅପରପାର୍ଶ୍ବରେ ରହିବା ସଙ୍ଗେ ସଙ୍ଗେ ଉଭୟଙ୍କମଧ୍ୟରେ ଲୋକ ପରମ୍ପରାଗତ ବଚନିକା ପରେ ଜୟ ବିଜୟ ଦ୍ଵାର ଫିଟିଥାଏ । ମହାପ୍ରଭୁପହଣ୍ଡି ବିଜେରେ ଭିତର କାଠ ସମ୍ମୁଖସ୍ଥ ଭଣ୍ଡାର ଘର ଠାରେ ପହଞ୍ଚିବା ପରେ ଗଇଁଠାଳ(ରକ୍ମିଣୀ ବିବାହ କାଳର ) ଫିଟେ ଓ ବନ୍ଦାପନା, ରସଗୋଲା ଭୋଗ
ଇତ୍ୟାଦି ଭିତରଚ୍ଛମହାପାତ୍ରଙ୍କ ଦ୍ବାରା ସମାହିତ ହୋଇଥାଏ। ଏହାପରେ ଘସା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରନ୍ସିଂହାସନକୁ ବିଜେ କରିଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ
ଯେ, ଏହିଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ଜଗନ୍ନାଥ
ମହାପ୍ରଭୁଙ୍କ ରସଗୋଲା ଭୋଗ ହୋଇଥାଏ ।ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ୱ ଗୃହରେ ଅତ୍ୟନ୍ତ ଶୁଦ୍ଧ ପୂତ ଭାବରେ ଏହି ରସଗୋଲାତିଆରି ହୋଇଥାଏ । କଥିତ ଅଛି ଯେ, ମହାପ୍ରଭୁ
ଲକ୍ଷ୍ମୀଦେବୀଙ୍କୁ ରସଗୋଲା ଖୁଆଇତାଙ୍କର ମନୋରଞ୍ଜନ କରିଥିଲେ ।
ଅପରପକ୍ଷରେ ଏହି ଦିନ ସହରର ବିଭିନ୍ନ ବ୍ୟକ୍ତିବିଶେଷ, ମଠାନୁଷ୍ଠାନ ଓ ସେବକମାନେ ମହାପ୍ରଭୁମାନଙ୍କ ପହଣ୍ଡି ବିଜେ ପୂର୍ବରୁରଥ ଉପରେ ରସଗୋଲା, ଛେନା ତାଡ଼ିଆ ଇତ୍ୟାଦି ଭୋଗ କରିଥାନ୍ତି ।ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ମୁତାବକ ନୀଳାଦ୍ରି ବିଜେ ଦିନ ଠାକୁରମାନଙ୍କ ପହଣ୍ଡିସମୟରେ କେତେକ ମଠ, ସେବକ ଓ ବ୍ୟକ୍ତିବିଶେଷ ପନ୍ତି ଭୋଗ କରିଥାନ୍ତି । ମଙ୍ଗୁ ମଠ, ଏମାର ମଠ, ଜଗନ୍ନାଥ ଶୁକ୍ଲ, ଚେମପୃଷ୍ଟି ପାଟରା, ଉତ୍ତର ପାର୍ଶ୍ୱ, ଛାଉଣୀ, ବାଲିମଠ,କନିକା ରାଜା ସରଘର, ଶ୍ରୀରାମ ଦାସ, ରେବସା ମଠ, ଫକୀରମହାପାତ୍ର ଓକିଲ, ଜଗନ୍ନାଥ ବଲ୍ଲଭ ମଠ, ଗୌରାଙ୍ଗ ସୁଆର, ସଂକ୍ରାନ୍ତି ମଠ, ବଳଭଦ୍ର ପୂଜାପଣ୍ଡା ସାମନ୍ତ (ଶିବତୀର୍ଥ), ତ୍ରିମାଳୀ ମଠ, ପ୍ରତିହାରୀ ନିଯୋଗ, ପାଟଯୋଷୀ ମହାପାତ୍ର, ମହାଜନ ଓ ସାନଛତା ମଠ । ସ୍ଵତ୍ତ୍ଵଲିପି ବ୍ୟତୀତ ଗତ କିଛି ବର୍ଷ ଧରି ମହାପ୍ରଭୁଙ୍କ ବାଡ଼ଗ୍ରାହୀଦଇତାପତି ଜଗନ୍ନାଥ ସ୍ଵାଇଁ ମହାପାତ୍ର ଓ ମା’ ଶ୍ୟାମାକାଳୀ କ୍ଲବ୍ ସିଂହଦ୍ଵାର ଠାରେ ଉକ୍ତ ଦିନ ପରି ଭୋଗ କରି ଆସୁଅଛନ୍ତି ।ସମସ୍ତ ବିଗ୍ରହ ସିଂହାସନ ଉପରକୁ ବିଜେ କରିବା ପରେ ଦଇତାପତିସେବକମାନେ ରୁନ୍ଧା କାର୍ଯ୍ୟ ଶେଷ କରିଥାନ୍ତି । ଏହି ନୀଳାଦ୍ରି ବିଜେ ଦର୍ଶନ ପାଇଁଶ୍ରୀମନ୍ଦିର ପରିସର ତଥା ସିଂହଦ୍ଵାର ଠାରେ ପ୍ରବଳ ଜନ ସମାଗମ ହୋଇଥାଏ ।





