ଝାରସୁଗୁଡ଼ା, ୨୦ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଠାରୁ କନକତୋରା ପର୍ଯ୍ୟନ୍ତ ପ୍ରସ୍ତାବିତ ୪ ଲେନ୍ ବିଶିଷ୍ଟ ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପ ଅଧୀନରେ ଆସୁଥିବା ସମସ୍ତ ଜନ ଉପଯୋଗୀ ସେବା (ପବ୍ଲିକ ୟୁଟିଲିଟି) ଗୁଡ଼ିକର ସ୍ଥାନାନ୍ତରଣ ପ୍ରକ୍ରିୟା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଉକ୍ତ ବୈଠକରେ ଜମି ଅଧିଗ୍ରହଣ ଅଧିକାରୀ ବିନୟ ପଟେଲ ଉପସ୍ଥିତ ରହି ଅଧିଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ପଦାଧିକାରୀ, ଗେଲ୍ ଇଣ୍ଡିଆ ଲିମିଟେଡ୍, ପାୱାର ଗ୍ରୀଡ୍, ବିଏସଏନଏଲ, ଓପିଟିସିଏଲ ଏବଂ ଟିପିଡବ୍ଲୁଓଡିଏଲ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଅଧିଗ୍ରହଣ ହେବାକୁ ଥିବା ଅଞ୍ଚଳ ମଧ୍ୟରେ ଥିବା ବିଦ୍ୟୁତ ତାର, ଖୁଣ୍ଟ, ଗ୍ୟାସ ଓ ପାନୀୟ ଜଳ ପାଇପଲାଇନ ଏବଂ ଟେଲିକମ୍ୟୁନିକେସନ କେବୁଲ ଆଦି ସ୍ଥାନାନ୍ତର ପାଇଁ ଆବଶ୍ୟକ ଖର୍ଚ୍ଚ ଆକଳନ (ଏଷ୍ଟିମେଟ) ଯଥାଶୀଘ୍ର ଦାଖଲ କରିବାକୁ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ସମ୍ପୃକ୍ତ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ କାର୍ଯ୍ୟ ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଓ ବିନା ବାଧାରେ ସୁରୁଖୁରୁରେ ଆଗେଇ ପାରିବ, ସେଥିପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସ୍ଥାନାନ୍ତର କାର୍ଯ୍ୟ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ




