କେନ୍ଦ୍ରାପଡା, ୨୫ ଅଗଷ୍ଟ :- ଡ଼ଙ୍ଗାରେ ଚଢ଼ିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଦ୍ୱୀପାଚଂଳ ଗ୍ରାମରେ ଘଟିଛି ଏଭଳି ଏକ ଅଘଟଣ । ଖରସ୍ରୋତା ନଦୀ ପାର୍ ହେବା ପାଇଁ ଡ଼ଙ୍ଗା ନିକଟକୁ ଯାଉଥିବା ବେଳେ ବୃଦ୍ଧ ଜଣଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । ନିଖୋଜ ବ୍ୟକ୍ତିଙ୍କ ନାମ ପରେଶ୍ୱର ବେହେରା । ତାଙ୍କ ଘର ରାଜକନିକା ଅଂଚଳରେ ବୋଲି ଜଣାପଡିଛି । ଏ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଆରମ୍ଭ କରିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁସାରେ, ଆଜି ସକାଳେ ଗଙ୍ଗାଧର ପ୍ରସାଦ ଡିଆ ଗାଁରୁ ଡ଼ଙ୍ଗାରେ ନଦୀ ପାର୍ ହୋଇ ଆୟତନ ବଜାର ଯିବା ପାଇଁ ପରେଶ୍ୱର ଡ଼ଙ୍ଗା ନିକଟକୁ ଯାଉଥିଲେ । ଠିକ୍ ଏହି ସମୟରେ ହଠାତ୍ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଘଟଣା ପରେ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଛି । ନିଖୋଜ ବୃଦ୍ଧଙ୍କୁ ଖୋଜିବା ପାଇଁ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି । ଅନ୍ୟପଟେ ନଦୀରେ କୁମ୍ଭୀରକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ନିଖୋଜ ପରେଶ୍ୱରଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳର ଅଭିଯାନ ଜାରି ରହିଛି ।





