ନୂଆପଡ଼ା, ୨୦ ଅଗଷ୍ଟ ;- ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ଖଡ଼ିଆଳ କଂଗ୍ରେସ ପକ୍ଷରୁ ଉଗ୍ରସେନ ଭବନଠାରେ ସଦ୍ଭାବନା ଦିବସ ପାଳିତ ହୋଇଛି। ଏହି ଅବସରରେ ଗଣଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଆବାହକ କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଆୟୋଜିତ ଗଣଦୌଡ଼ ସାନମହେଶ୍ୱର ଠାରୁ ଖଡ଼ିଆଳ ସହରର ବୋଡେ଼ନ ଛକ ପର୍ଯ୍ୟନ୍ତ ପ୍ରାୟ ୧୦ କି.ମି. ଦୂରତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୁଷ ଓ ମହିଳା ବର୍ଗର ୫୦୦ରୁ ଅଧିକ ଯୁବକ-ଯୁବତୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପୁରୁଷ ବର୍ଗରେ ଉତ୍ତର ପ୍ରଦେଶ ରାଜ୍ୟର ସତୀଶ ବର୍ମା ପ୍ରଥମ, ବୋଡେ଼ନର ଅଶୋକ ଦଣ୍ଡସେନା ଦ୍ୱିତୀୟ ଏବଂ ଛତିଶଗଡ଼ର ଆଶୁତୋଷ କୁମାର ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳା ବର୍ଗରେ ରୁକ୍ମଣୀ ସାହୁ ପ୍ରଥମ, କିରନ ମହୋତା ଦ୍ୱିତୀୟ ଏବଂ ଦିବ୍ୟକାନ୍ତି ଶବର ତୃତୀୟ ସ୍ଥାନ ହାସଲ କରିଥିଲେ। ଏଥିସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଅନ୍ୟ ୪ ଜଣ ଯୁବକଙ୍କୁ ମଧ୍ୟ କଂଗ୍ରେସ ପକ୍ଷରୁ ପୁରସ୍କୃତ କରାଯାଇଥିଲା।
ସୂଚନାଯୋଗ୍ୟ, ୧୯୪୪ ମସିହା ଅଗଷ୍ଟ ୨୦ ତାରିଖରେ ରାଜୀବ ଗାନ୍ଧୀଙ୍କ ଜନ୍ମ ହୋଇଥିଲା। ତାଙ୍କ ସ୍ମୃତିରେ ୧୯୯୨ ମସିହାରୁ ତାଙ୍କ ଜନ୍ମଦିନକୁ ‘ସଦ୍ଭାବନା ଦିବସ’ ଭାବେ ପାଳନ କରାଯାଉଛି। ଜାତୀୟ ସଂହତି, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଭାଇଚାରା ଓ ସାମାଜିକ ସମନ୍ୱୟର ବାର୍ତ୍ତା ପ୍ରଚାର ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
କାର୍ଯ୍ୟକ୍ରମରେ ଏଆଇସିସି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝି, ବରିଷ୍ଠ ନେତା ଭୀଷ୍ମ ସୁନାନୀ, ଫାରୁକ ମହମ୍ମଦ, ଜିଲ୍ଲା ପରିଷଦ ସଭ୍ୟ ଭରତ ରାଉତ, ବୋଡେ଼ନ ବ୍ଲକ ସଭାପତି ଭାଗିରଥି ଦଣ୍ଡସେନା, ଖଡ଼ିଆଳ ବ୍ଲକ ସଭାପତି ବୁଦ୍ଧଦେବ ବେହେରା, ଖଡ଼ିଆଳ ନଗର ସଭାପତି ପ୍ରବୀଣ ରଞ୍ଜନ ପଟ୍ଟନାୟକ, ରବି ମଙ୍ଗରାଜଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।



