କୋଲକାତା, ୨୨ ଅଗଷ୍ଟ(ହି.ସ.) – ଦାର୍ଜିଲିଂ, କୁର୍ସେଓଙ୍ଗ ଏବଂ କାଲିମ୍ପୋଙ୍ଗ ସମେତ ପଶ୍ଚିମବଙ୍ଗର ପାର୍ବତ୍ୟାଂଚଳରେ ଦୀର୍ଘ ଦିନରୁ ଲାଗି ରହିଥିବା ରାଜନୈତିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ସିଲିଗୁଡ଼ି ନିକଟସ୍ଥ ସୁକନାର ଏକ ରିସର୍ଟରେ ଆରମ୍ଭ ହୋଇଥିବା ଏହି ବୈଠକରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ତଥା ପାହାଡ଼ର ପ୍ରମୁଖ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ।
ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ଦାର୍ଜିଲିଂର ବିଜେପି ସାଂସଦ ରାଜୁ ବିଷ୍ଟ ଏବଂ ପାହାଡ଼ର ତିନୋଟି ବିଧାନସଭା ଆସନ-ନୋମାନ ରାୟ(ଦାର୍ଜିଲିଂ), ଭରତ କୁମାର ଛେତ୍ରୀ(କାଲିମ୍ପୋଙ୍ଗ) ଏବଂ ସୋନମ ଲାମା(କୁର୍ସେଙ୍ଗ)ଙ୍କ ବିଧାୟକମାନେ ଯୋଗ ଦେଉଛନ୍ତି। ଗୋର୍ଖା ଜନମୁକ୍ତି ମୋର୍ଚ୍ଚା(ଜିଜେଏମ୍)ର ସଭାପତି ବିମଲ ଗୁରୁଙ୍ଗ ଏବଂ ସାଧାରଣ ସମ୍ପାଦକ ରୋଶନ ଗିରି ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ଗୋର୍ଖା ନ୍ୟାସନାଲ ଲିବରେସନ୍ ଫ୍ରଂଟ(ଜି.ଏନ୍.ଏଲ୍.ଏଫ୍.)ର ବର୍ତମାନର ସଭାପତି ତଥା ସଙ୍ଗଠନର ପ୍ରତିଷ୍ଠାତା ସ୍ୱର୍ଗତ ସୁଭାଷ ଘିସିଙ୍ଗଙ୍କ ପୁଅମାନ ଘିସିଙ୍ଗ ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି।
ଏହି ବୈଠକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ପାର୍ବତ୍ୟାଂଚଳ ପାଇଁ ଏକ ସ୍ଥାୟୀ ରାଜନୈତିକ ସମାଧାନ ଖୋଜିବା। ଏକ ପୃଥକ ଗୋର୍ଖାଲ୍ୟାଣ୍ଡ ରାଜ୍ୟ ଦାବିକୁ ନେଇ ଦାର୍ଜିଲିଂ ଏବଂ ଏହାର ଆଖପାଖ ପାହାଡ ଦୀର୍ଘ ଦିନ ଧରି ରାଜନୈତିକ ଆନ୍ଦୋଳନ ଏବଂ ଉତେଜନାର ଦୃଶ୍ୟ ହୋଇରହିଛି। ଏପରିକି ବାମପନ୍ଥୀ ଏବଂ ତୃଣମୂଳ କଂଗ୍ରେସର ପୂର୍ବ ସରକାର ସମୟରେ ମଧ୍ୟ ଏହି ପ୍ରସଙ୍ଗରେ ପାହାଡ଼ରେ ଥିବା ରାଜନୈତିକ ଦଳ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ସଂଘର୍ଷ ଏବଂ ଆଲୋଚନା ହୋଇଛି। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜିଜେଏମ ବିଜେପିକୁ ସମର୍ଥନ କରିଥିଲା। ଏହା ପରେ ଦାର୍ଜିଲିଂ ଏବଂ କାଲିମ୍ପୋଙ୍ଗ ଜିଲ୍ଲାର ସମସ୍ତ ଛଅଟି ବିଧାନସଭା ଆସନରେ ବିଜେପି ସମର୍ôଥତ ପ୍ରାର୍ଥୀଙ୍କ ବିଜୟ ହୋଇଥିଲା। ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ଗଠନ ହେବା ପରେ ଜିଜେଏମ୍ ନେତୃତ୍ୱ ଆଶା କରୁଛି ଯେ କେନ୍ଦ୍ର ଏବଂ ରାଜ୍ୟରେ ସମାନ ମେଂଟ ସରକାର ପାହାଡ଼ରେ ରାଜନୈତିକ ସମସ୍ୟାର ସମାଧାନ ପାଇଁ ପଥ ପରିଷ୍କାର କରିପାରିବ।
ଗତ ମାସରେ ବିମଲ ଗୁରୁଙ୍ଗ ଏବଂ ରୋଶନ ଗିରି କୋଲକାତାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଥିଲେ। ପୂର୍ତ ବିଭାଗର ପଡ଼ିଆରେ ଆୟୋଜିତ ଏକ ଅସ୍ଥାୟୀ ଶିବିରରେ ଆୟୋଜିତ ଏହି ବୈଠକରେ ପରିବହନ ମନ୍ତ୍ରୀ ଅର୍ଜୁନ ସିଂହ ମଧ୍ୟ ଉପସ୍ଥିତ ଥିଲେ। ପ୍ରାୟ ଦେଢ଼ ଘଂଟା ଧରି ଆଲୋଚନା ପରେ ଗୁରୁଙ୍ଗ ଆଶା ବ୍ୟକ୍ତ କରିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ପାର୍ବତ୍ୟାଂଚଳର ରାଜନୈତିକ ସମସ୍ୟାର ସମାଧାନ ହୋଇପାରିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


