ଚେନ୍ନାଇ, ୨୪ ଅଗଷ୍ଟ (ହି.ସ.)- ତାମିଲନାଡ଼ୁର ଯୋଗ୍ୟ ପରିବାରକୁ ବର୍ଷକୁ ତିନୋଟି ମାଗଣା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଇବା ପାଇଁ ଏକ ଯୋଜନା ୨୦୨୭ ରେ ଆଗାମୀ ପୋଙ୍ଗଲ ପର୍ବରୁ କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ବିଜୟ ସୋମବାର ବିଧାନସଭାରେ ଏହି ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ଯୋଗ୍ୟ ଗୃହିଣୀମାନେ ପ୍ରତିବର୍ଷ ତିନୋଟି ଏଲପିଜି ସିଲିଣ୍ଡରର ଲାଭ ପାଇବେ ।
ଅଗଷ୍ଟ ୧୭ ତାରିଖରୁ ତାମିଲନାଡ଼ୁ ବିଧାନସଭାରେ ଅନୁଦାନ ଦାବି ଉପରେ ଆଲୋଚନା ଚାଲିଛି । ଦୁଇ ଦିନିଆ ବିରତି ପରେ ସୋମବାର ସକାଳ ୯ଟା୩୦ ରେ ଗୃହ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ସମୟରେ, ମୁଖ୍ୟମନ୍ତ୍ରୀ ବିଜୟ ବିଧାନସଭାର ନିୟମ ୧୧୦ ଅନୁଯାୟୀ ମାଗଣା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଜନା ଘୋଷଣା କରିଛନ୍ତି ।
ସରକାର ଏହି ଯୋଜନାକୁ 'ଅନ୍ନପୂର୍ଣ୍ଣି ସୁପର ୬' ଅଧୀନରେ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛନ୍ତି । ଏଥିପାଇଁ ପ୍ରତିବର୍ଷ ପାଖାପାଖି ୪,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ । ସରକାରଙ୍କ କହିବା ଅନୁଯାୟୀ, ଏହି ଯୋଜନା ଦ୍ୱାରା ରାଜ୍ୟର ୧ କୋଟି ୩୮ ଲକ୍ଷ ୧୬ ହଜାର ୧୦୪ ପରିବାର ଉପକୃତ ହେବେ । ଏହି ଯୋଜନାରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା ଆର୍ôଥକ ଦୃଷ୍ଟିରୁ ପଛୁଆ ପରିବାର ତଥା କ୍ଷୁଦ୍ର ଓ ନାମମାତ୍ର କୃଷକ ପରିବାର ତଥା ଭିନ୍ନକ୍ଷମଙ୍କ ପରିବାର ସାମିଲ୍ ହେବେ ।
ମୁଖ୍ୟମନ୍ତ୍ରୀ ବିଜୟ ସୂଚନା ଦେଇଛନ୍ତି ଯେ, ହିତାଧିକାରୀମାନଙ୍କୁ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ପ୍ରଥମେ ଗ୍ୟାସ୍ ସିଲିଣ୍ଡର ବୁକ୍ କରିବାକୁ ଏବଂ ଗ୍ରହଣ କରିବାକୁ ପଡିବ । ଏହା ପରେ ତୈଳ କମ୍ପାନୀଗୁଡ଼ିକ ଠାରୁ ହିତାଧିକାରୀଙ୍କ ତାଲିକା ଗ୍ରହଣ କରାଯିବ ଏବଂ ସମ୍ପୃକ୍ତ ସିଲିଣ୍ଡରର ମୂଲ୍ୟ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟରେ ଜମା ହେବ ।
ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାରଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଗୁଡ଼ିକ ଉପରେ ବଢୁଥିବା ରନ୍ଧନ ଗ୍ୟାସ ମୂଲ୍ୟର ବୋଝକୁ ହ୍ରାସ କରିବାରେ ସହାୟକ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ



