ଶୋପିଆନ୍, ୧ ଅଗଷ୍ଟ - ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପାଣି ଅନେକ ଘର ଏବଂ ଏକ ବିଦ୍ୟାଳୟକୁ ପ୍ଲାବିତ କରିଥିଲା, ଯାହା ଜୀବନ ଉପରେ ପ୍ରଭାବ ପକାଇଥିଲା । ଇତି ମଧ୍ୟରେ, କିସ୍ତୱାଡ଼ ଜିଲ୍ଲାର ଚତ୍ରୁ ଅଂଚଳରେ ବାଦଲ ଫାଟିବା ଘଟଣାରେ ଅନେକ କୋଠାଘର ଏବଂ ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜାତୀୟ ରାଜପଥ ନମ୍ବର ୨୪୪ର ଚତ୍ରୁ-କିସ୍ତୱାଡ଼ ମାର୍ଗକୁ ଯାନବାହନ ଚଳାଚଳ ପାଇଁ ବନ୍ଦ କରିଦିଆଯାଇଛି ।
ଅଧିକାରୀଙ୍କ କହିବା ଅନୁଯାୟୀ, ଶୋପିଆନର ପହଲପୋରା ଗ୍ରାମରେ ପ୍ରବଳ ବର୍ଷା ପରେ ବହୁ ପରିମାଣର ପାଣି ଆବାସିକ ଅଂଚଳରେ ପ୍ରବେଶ କରିଛି । ଏହାଦ୍ୱାରା ଅନେକ ଘର ଜଳମଗ୍ନ ହୋଇଛି ଏବଂ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପରିସ୍ଥିତି ସମ୍ପର୍କରେ ଖବର ପାଇବା ପରେ ପୋଲିସ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍. ଡି. ଆର. ଏଫ୍.) ଏବଂ ଜିଲ୍ଲା ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ପ୍ରଭାବିତ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ଜଳମଗ୍ନ ଅଂଚଳରୁ ଜଳ ନିଷ୍କାସନ କରିବା ଏବଂ କ୍ଷୟକ୍ଷତିର ଆକଳନ କରିବା ପାଇଁ ପ୍ରଶାସନ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରୁଛି । ଅଧିକାରୀମାନେ କହିଛନ୍ତି ଯେ, ବନ୍ୟା ଯୋଗୁଁ ଅନେକ ଘର ଏବଂ ଏକ ବିଦ୍ୟାଳୟ ପ୍ରଭାବିତ ହୋଇଛି । ତେବେ କେହି ଆହତ ହୋଇନଥିବା ସୂଚନା ମିଳିଛି ।





