କଲିକତା, ଅଗଷ୍ଟ ୨୩ - ଯୁଦ୍ଧ ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରବିବାର ଦିନ ଗାର୍ଡେନ ରିଚ୍ ସିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଠାରେ ୩୪୦୦ କୋଟି ଟଙ୍କା ମୂଲ୍ୟର ପାଂଚଟି ନୂତନ ପ୍ରତିରକ୍ଷା ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜ୍ ନାଥ ସିଂହ ଏବଂ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ସିଂହ ପଶ୍ଚିମବଙ୍ଗର ବିଜେପି ସରକାରଙ୍କୁ ପ୍ରଶଂସା କରି କହିଥିଲେ ଯେ ରାଜ୍ୟରେ ଏବେ ଶିଳ୍ପ ବନ୍ଦ ନୁହେଁ, ବରଂ ନିବେଶର ଖବର ଦେଖିବାକୁ ମିଳୁଛି।
ଯେଉଁ ପାଂଚଟି ପ୍ରକଳ୍ପ ପାଇଁ ଭୂମିପୁଜନ କରାଯାଇଛି, ସେଗୁଡ଼ିକ ହେଲା ରାଇଚକ ସିପୟାର୍ଡ, କାଠ ପୋଖରୀ ଜାହାଜ ନିର୍ମାଣ ସୁବିଧା, ଦାମୋଦର ଜାହାଜ ନିର୍ମାଣ ସୁବିଧା, ରେଡ଼ିଆଲ ଫୋର୍ଜିଙ୍ଗ ପ୍ଲାଂଟ ଏବଂ ୩୦୦୦ ଟନ କ୍ଷମତା ବିଶିଷ୍ଟ ଓପନ ଡାଇ ଫୋର୍ଜିଙ୍ଗ ପ୍ରେସ। ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଭବିଷ୍ୟତ ପାଇଁ ଭାରତର ସଂକଳ୍ପକୁ ସୁଦୃଢ଼ କରିବ ଏବଂ ମେକ୍ ଇନ୍ ଇଣ୍ଡିଆ 'ତଥା ଆତ୍ମନିର୍ଭର ଭାରତ' ଭାବନାକୁ ଆଗକୁ ବଢ଼ାଇବ।
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ବୋଲି ଶ୍ରୀ ସିଂହ କହିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଜରିଆରେ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସେ କହିଥିଲେ ଯେ ପଶ୍ଚିମବଙ୍ଗରେ ନିବେଶ ପରିବେଶ ବଦଳୁଛି। ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ରାଜ୍ୟ ବିକାଶ ପଥରେ ଆଗକୁ ବଢ଼ୁଛି। ଯଦି ଲକ୍ଷ୍ୟ ସମାନ, ତେବେ ବିକାଶକୁ କେହି ଅଟକାଇ ପାରିବେ ନାହିଁ।
ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଆଗକୁ ଯାଇ ଅନେକ ଆନୁଷଙ୍ଗିକ ଶିଳ୍ପର ବିକାଶ ମଧ୍ୟ କରିବ। ଦେଶର ପୁନର୍ଜାଗରଣରେ ବଙ୍ଗଳା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ବର୍ତମାନ ଏକ ଶିଳ୍ପ ପୁନର୍ଜାଗରଣ ଆଡକୁ ଅଗ୍ରସର ହେଉଛି। ସେ କହିଥିଲେ ଯେ ପଶ୍ଚିମବଙ୍ଗରେ ହେଉଥିବା ନିବେଶର ସୁଦୂରପ୍ରସାରୀ ପରିଣାମ ହେବ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଅର୍ଥନୀତିକୁ ମଜବୁତ କରିବ। ସେ କହିଥିଲେ ଯେ ବଙ୍ଗଳାରେ ତାଲିମପ୍ରାପ୍ତ ଶ୍ରମିକଙ୍କ ଉପଲବ୍ଧତା ଏବଂ ଉନ୍ନତ ସଂଯୋଗ ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ। ଏହା ମଧ୍ୟ ବହୁ ସଂଖ୍ୟାରେ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବାର ସମ୍ଭାବନା ରହିଛି।



