ନୂଆଦିଲ୍ଲୀ, 24 ଅଗଷ୍ଟ : ଶହୀଦ ଶିବରାମ ହରି ରାଜଗୁରୁଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜାରି କରି ଶାହ ଶହୀଦ ରାଜଗୁରୁଙ୍କ ଅଦମ୍ୟ ସାହସ ଓ ଦେଶପ୍ରେମକୁ ସ୍ମରଣ କରିଛନ୍ତି।
ଅମିତ ଶାହ କହିଛନ୍ତି ଯେ, ମାତୃଭୂମିର ସ୍ୱାଧୀନତାକୁ ଜୀବନର ଏକମାତ୍ର ଲକ୍ଷ୍ୟ କରି ରାଜଗୁରୁ, ଶହୀଦ ଭଗତ ସିଂହ ଓ ଶହୀଦ ସୁଖଦେବଙ୍କ ସହ ମିଶି ବିପ୍ଳବର ଏପରି ବହ୍ନି ପ୍ରଜ୍ୱଳିତ କରିଥିଲେ, ଯାହା ସମଗ୍ର ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଓ ଶକ୍ତି ପ୍ରଦାନ କରିଥିଲା।
ବ୍ରିଟିଶ ଶାସନର ଅତ୍ୟାଚାର ସମ୍ମୁଖରେ ରାଜଗୁରୁ କେବେ ମୁଣ୍ଡ ନୁଆଁଇ ନଥିଲେ ବୋଲି ଶାହ ଉଲ୍ଲେଖ କରିଛନ୍ତି। ଦେଶର ସ୍ୱାଧୀନତା ପାଇଁ ସେ ନିର୍ଭୀକ ଭାବେ ସର୍ବୋଚ୍ଚ ବଳିଦାନ ଦେଇଥିଲେ।
ଅମିତ ଶାହ କହିଛନ୍ତି ଯେ, ମାତ୍ର ୨୨ ବର୍ଷ ବୟସରେ ରାଜଗୁରୁ ଦେଇଥିବା ସର୍ବୋଚ୍ଚ ବଳିଦାନ ଦେଶର ଯୁବପିଢ଼ିକୁ ସର୍ବଦା ‘ରାଷ୍ଟ୍ର ପ୍ରଥମ’ ଭାବନାରେ ଦେଶସେବା ପାଇଁ ପ୍ରେରିତ କରିବ।


