ଭୁବନେଶ୍ୱର :- ଏକଲ ଆରୋଗ୍ୟ ଗ୍ରାମସଂଗଠନ ଓ ଆରୋଗ୍ୟ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ମିଳିତ ପ୍ରୟାସରେ ରାଉରକେଲା ଅନ୍ତର୍ଗତ ବିସ୍ରା ସ୍ଥିତ ସେକ୍ଟର-୧୪ ଠାରେ ଏକ ଟେଲିମେଡିସିନ୍ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉକ୍ତ ତାଲିମ ଶିବିରରେ ଯୋଗଦେଇଥିଲେ।
ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମାଂଚଳର ଭାଇ-ଭଉଣୀମାନଙ୍କୁ ଆଧୁନିକ ଟେଲିମେଡିସିନ୍ ସେବା ବିଷୟରେ ସଚେତନ ଓ ପ୍ରଶିକ୍ଷିତ କରାଇବା, ଯାହାଫଳରେ ସେମାନେ ଘରେ ବସି ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ପାଇ ପାରିବେ ଏବଂ ସ୍ୱାସ୍ଥ୍ୟସେବା ପାଇଁ ଦୂର ପଥ ଯାତ୍ରା କରିବାର ଆବଶ୍ୟକତା ହ୍ରାସ ପାଇବ।
ଏହି ପ୍ରକାର ଉଦ୍ୟମ ଆମ ସୁନ୍ଦରଗଡ଼ର ଦୂରବର୍ତୀ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବାର ପହଂଚକୁ ସୁଦୃଢ଼ କରିବାରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଏକଲ ଆରୋଗ୍ୟ ଗ୍ରାମସଂଗଠନ ଓ ଆରୋଗ୍ୟ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ଏହି ପ୍ରଶଂସନୀୟ କାର୍ଯ୍ୟକୁ ମୁଁ ହୃଦୟର ସହ ଅଭିନନ୍ଦନ ଜଣାଉଛି ବୋଲି ଏହି ଅବସରରେ କହିଛନ୍ତି କେନ୍ଦ୍ର୍ରମନ୍ତ୍ରୀ ଶ୍ରୀ ଓରାମ।




