ନୂଆପଡ଼ା, ୨୦ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିର୍ବାଚନୀ ସାକ୍ଷରତା କ୍ଲବ୍ ପାର୍ଟିସିପାସନ ଅଧୀନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରି ସେମାନଙ୍କୁ ଦାୟିତ୍ୱବାନ ଓ ସକ୍ରିୟ ଗଣତାନ୍ତ୍ରିକ ନାଗରିକ ଭାବେ ପ୍ରସ୍ତୁତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟl କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମତଦାତା ଭାବେ ପଞ୍ଜୀକରଣ ପ୍ରକ୍ରିୟା, ମତଦାତାଙ୍କ ଅଧିକାର ଓ ଦାୟିତ୍ୱ, ନୈତିକ ମତଦାନ, ପ୍ରାର୍ଥୀଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ଜାଣି ସଚେତନ ନିଷ୍ପତ୍ତି ନେବା ଏବଂ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା।
ଏହି ଅବସରରେ ଆଲୋଚନା, ପ୍ରଶ୍ନୋତ୍ତର, ମତଦାତା ଶପଥ ଆଦି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକଳାପ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଗଣତନ୍ତ୍ରରେ ଭୋଟର ଗୁରୁତ୍ୱ ଓ ମତଦାତାଙ୍କ ଭୂମିକା ସମ୍ପର୍କରେ ଅବଗତ ହୋଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜ ମଧ୍ୟରେ ନିର୍ବାଚନୀ ସାକ୍ଷରତାର ବାର୍ତ୍ତା ପହଞ୍ଚାଇବା ସହ ‘ଗଣତନ୍ତ୍ରର ଦୂତ’ ଭାବେ କାର୍ଯ୍ୟ କରିବାକୁ ପ୍ରେରିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ସିନାପାଲି ବିଡିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳି ମାଝୀ, ଅତିରିକ୍ତ ତହସିଲଦାର ମନୋରଞ୍ଜନ କେରକେଟାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
ଜିଲ୍ଲା ନିର୍ବାଚନ ବିଭାଗ, ଜିଲ୍ଲା ପ୍ରଶାସନ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ନୂଆପଡ଼ା ଜିଲ୍ଲାରେ ସଚେତନ, ଦାୟିତ୍ୱବାନ ଓ ସକ୍ରିୟ ମତଦାତା ସୃଷ୍ଟି ସହ ଗଣତାନ୍ତ୍ରିକ ଅଂଶଗ୍ରହଣକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।



