ନୂଆପଡ଼ା, ୨୨ ଅଗଷ୍ଟ:- କାକା ଓ ପୁତୁରାଙ୍କୁ ସାପ କାମୁଡି ଦେଇଥିଲା । ହେଲେ ଜାଣି ପାରିଲେନି । ଅନ୍ୟ ଜଣେ ସାପ କାମୁଡି ଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିଲେ । ହେଲେ ହସ୍ପିଟାଲରେ କାକା ଓ ପୁତୁରାଙ୍କ ଜୀବନ ଚାଲିଗଲା । ଏମିତି ଏକ ଘଟଣା ଘଟିଛି ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତ ବଙ୍ଗୋମୁଣ୍ଡା ଥାନା ବଲଧା ଗାଁରେ । ବିଷାକ୍ତ ସାପ କାମୁଡାରେ କାକା ଓ ପୁତୁରାଙ୍କ ମୃତ୍ୟୁ ହୋଇଛି । ମୃତକ ସିନାପାଲି ଥାନା ଚଚରାଭଟା ଗାଁର କାକା ଦୈତାରି ତାଣ୍ଡି(୪୦) ଓ ପୁତୁରା ଭରତ ତାଣ୍ଡି(୩୦) ଏଵଂ ଗୁରୁତର ତୁଳସୀ ବଗର୍ତ୍ତୀ(୪୫) । ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ପଡ଼ିଛି ।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବଲଧା ଠାରେ ପୋଲ ନିର୍ମାଣ କାମରେ ସିନାପାଲି ଥାନା ଅଂଚଳର ୧୦ ଜଣ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ । ରାତିରେ ଖାଇ ସାରି ଖୋଲା କ୍ୟାମ୍ପରେ ସୋଇଥିଲେ । ସେଠି ଏକ ବିଷାକ୍ତ ସାପ ଆସି ଦୈତାରୀ, ଭରତ ଓ ତୁଳସୀ ୩ ଜଣ ଶ୍ରମିକଙ୍କୁ କାମୁଡା ଦେଇଥିଲା । ବିଳମ୍ବିତ ରାତିରେ କାକା ଦୈତାରୀ ଓ ପୁତୁରା ଭରତ ଅନ୍ୟ ଶ୍ରମିକମାନଙ୍କ ସାହାଯ୍ୟରେ ତୁଳସୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠି କାକା ଦୈତାରୀ ଓ ପୁତୁରା ଭରତ ତାଙ୍କୁ ବି ସାପ କାମୁଡି ଦେଇଥିବା ଜାଣିଥିଲେ । ପରେ ୩ ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିଲେ । ରାତିରେ ନୂଆପଡ଼ା ହସ୍ପିଟାଲରେ ପହଞ୍ଚିବା ପରେ ଦୈତାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସକାଳୁ ଭରତଙ୍କ ମୃତ୍ୟୁ ହୋଇଥିଲା । ଏବେ ତୁଳସୀଙ୍କୁ ଡାକ୍ତର ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରିଛନ୍ତି । ଅନ୍ୟପକ୍ଷରେ କାକା ଓ ପୁତୁରାଙ୍କ ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ିଛି । ଏଠାରେ ବ୍ୟବଚ୍ଛେଦ ପରେ ମୃତଦେହ ଗାଁକୁ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।





