ମାଲକାନଗିରି, ୨୪ ଅଗଷ୍ଟ (ହି.ସ.)- ପିଏମ୍ ଶ୍ରୀ ସ୍କୁଲ ଯୋଜନାର କେନ୍ଦ୍ରୀୟ ପ୍ରଭାରୀ ତଥା ଭାରତ ସରକାରଙ୍କ ଯୁଗ୍ମ ସଚିବ ରାଜୀବ ଶର୍ମା, ଭାରତୀୟ ପ୍ରଶାସନିକ ସେବା, ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ପ୍ରଭାରୀ ପ୍ରଥମେ ମାଲକାନଗିରି ବ୍ଲକ ସ୍ଥିତ ସିନ୍ଧ୍ରୀମାଲ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ବାଲିମେଳା ପରିଦର୍ଶନ କରିଥିଲେ।
ପରିଦର୍ଶନ ବେଳେ ସେ ବିଦ୍ୟାଳୟର ସକ୍ଷମ କେନ୍ଦ୍ର, ଭାଷା କେନ୍ଦ୍ର, ଇ-ପାଠାଗାର, ବିଜ୍ଞାନାଗାର, ଖେଳ ପଡିଆ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ହେଉଥିବା ପାଠପଢା କାର୍ଯ୍ୟକ୍ରମ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ।
ଗସ୍ତ କାର୍ଯ୍ଯକ୍ରମ ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ବୈଠକ ଆୟୋଜନ ହୋଇଥିଲା। ବୈଠକରେ ଭାରତ ସରକାର ଙ୍କ ଯୁଗ୍ମ ସଚିବ ସମସ୍ତ ପିଏମ୍ ଶ୍ରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ। ବୈଠକ ରେ ଜିଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ଅତିରିକ୍ତ ଜିଲ୍ଲା ପାଳ ରାଜସ୍ୱ ବେଦବର ପ୍ରଧାନ, ମୂଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗିରଥୀ ବେହେରା, ସମସ୍ତ ବ୍ଲକ୍ ର ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ ସମସ୍ତ ପି ଏମ ଶ୍ରୀ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ।
ଏହି ଗସ୍ତରେ ବ୍ଲକ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ ଏବଂ ଶିକ୍ଷା ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।




