ମାଲକାନଗିରି,୨୩ ଅଗଷ୍ଟ (ହି.ସ.)- ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟ ମାଥିଲିଠାରେ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାମ୍ବିଧାନିକ ସଂଘୀୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର ସାଙ୍ଗଠନିକ ସୁଦୃଢ଼ତା, ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ଏବଂ ଶିକ୍ଷା ବ୍ୟବସ୍ଥାର ସାମ୍ପ୍ରତିକ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ସମାଜର ଏକତା ଓ ସଂଗଠନର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୂର୍ବତନ ସଭାପତି ନେତ୍ରାନନ୍ଦ ନାୟକ ଯୋଗଦେଇ ଶିକ୍ଷକମାନଙ୍କ ପଦୋନ୍ନତି, ଶିକ୍ଷା କ୍ଷେତ୍ରରେ ବିଦ୍ୟମାନ ସମସ୍ୟା, ଅଣ-ଶିକ୍ଷାଗତ କାର୍ଯ୍ୟରେ ଶିକ୍ଷକମାନଙ୍କ ସମୟ ଅପଚୟ ଏବଂ କାର୍ଯ୍ୟ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ପୂର୍ବତନ ସଭାପତି କୃତିବାସ ସମରଥ, ଉମାକାନ୍ତ ଜେନା, ଚନ୍ଦାହାଣ୍ଡି ବ୍ଲକ ସମ୍ପାଦକ ରମେଶ ଚନ୍ଦ୍ର ତ୍ରିପାଠୀ, ସଂଗଠନ ସମ୍ପାଦକ ଚନ୍ଦାହାଣ୍ଡି ପ୍ରହ୍ଲାଦ ତ୍ରିପାଠୀ ଉପସ୍ଥିତ ରହି ସଂଘର ଉଦ୍ଦେଶ୍ୟ, କାର୍ଯ୍ୟଧାରା ଓ ଶିକ୍ଷକ କଲ୍ୟାଣ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ପରେ ମାଥିଲି ବ୍ଲକର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ସାମ୍ବିଧାନିକ ସଂଘୀୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ଜୟରାମ ଭୂମୀଆ ସଭାପତି, ତୃପ୍ତିରାଣୀ ପଣ୍ଡା ଓ ଲଚୁରାମ କୁରାମି ଉପସଭାପତି, ବାବୁଲି ପୃଷ୍ଟି ସମ୍ପାଦକ, ମାଥିଲି ଜୋନ ପାଇଁ ସହ ସମ୍ପାଦକ ରାଧାମଣୀ ନାୟକ, ସାଲିମି ଜୋନ ର ସହ ସମ୍ପାଦକ ମୁକ୍ତିକାନ୍ତ ବିଶ୍ୱାଳ ଓ ନାୟକଗୁଡା ଜୋନ ର ସହ ସମ୍ପାଦକ ଭାବେ ସହଦେବ ନାୟକ, ସଂଗଠକ ସମ୍ପାଦକ ଭାବେ ଧନୁର୍ଜୟ ଗାଦବା ଏବଂ କୋଷାଧ୍ୟକ୍ଷ ଭାବେ ଈଶ୍ୱର ଚନ୍ଦ୍ର ପଟ୍ଟନାୟକ ସର୍ବସମ୍ମତି କ୍ରମେ ଚୟନ ହୋଇଥିଲେ।
ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଉପସ୍ଥିତ ଅତିଥି ଓ ଶିକ୍ଷକମାନେ ଅଭିନନ୍ଦନ ଜଣାଇବା ସହ ସଂଘର ସାଙ୍ଗଠନିକ ବିକାଶ ଏବଂ ଶିକ୍ଷକ ସ୍ୱାର୍ଥ ସୁରକ୍ଷା ଦିଗରେ ସେମାନେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ।





