ଝାରସୁଗୁଡ଼ା, ୧୩ ଅଗଷ୍ଟ - ଭାରତୀୟ ସେନାରେ ଯୋଗଦେବା ପାଇଁ ସେନା ନିଯୁକ୍ତି କାର୍ଯ୍ୟାଳୟ, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆସନ୍ତା ଅକ୍ଟୋବର ୧୩ ରୁ ୧୭ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା ମାଳିମୁଣ୍ଡାସ୍ଥିତ କ୍ରିକେଟ ଷ୍ଟାଡିୟମଠାରେ ଏକ ବିଶାଳ ସେନା ନିଯୁକ୍ତି ରାଲି ଆୟୋଜିତ ହେବାକୁ ଯାଉଛି। ଏହି ବୃହତ ଆୟୋଜନକୁ ସୁଚାରୁରୂପେ ପରିଚାଳନା କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ ବିଶ୍ୱରଞ୍ଜନ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମୃତ ଆଚାର୍ଯ୍ୟ, ଏସଡିଆଇପିଆରଓ କୃଷ୍ଣାକେଶୀ ବଳିଆରସିଂହଙ୍କ ସମେତ ପୂର୍ତ୍ତ, ୱାଟକୋ, ଆରଟିଓ ଏବଂ ଅନ୍ୟାନ୍ୟ ଲାଇନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମ୍ବଲପୁର ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଓ ପ୍ରଶାସନିକ ଆବଶ୍ୟକତା ସମ୍ପର୍କରେ ଏକ ସବିଶେଷ ପ୍ରେଜେଣ୍ଟେସନ୍ ଉପସ୍ଥାପନ କରାଯାଇଥିଲା।
ସୂଚନା ଯୋଗ୍ୟ ଯେ, ପୂର୍ବରୁ ଆୟୋଜିତ ଅନଲାଇନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୋଗ୍ୟ ପ୍ରାର୍ଥୀମାନେ ହିଁ ଏହି ରାଲିରେ ନଥିପତ୍ର ଯାଞ୍ଚ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ଅଂଶଗ୍ରହଣ କରିବେ। ଏହି ନିଯୁକ୍ତି ରାଲିରେ ସମ୍ବଲପୁର, ବରଗଡ଼, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଏବଂ ଝାରସୁଗୁଡ଼ା ସମେତ ମୋଟ ୧୦ଟି ଜିଲ୍ଲାରୁ ୩୦୦୦ରୁ ଅଧିକ ସଂଖ୍ୟକ ଯୋଗ୍ୟ ପ୍ରାର୍ଥୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। କ୍ରିକେଟ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା, ପୋଲିସ କଣ୍ଟ୍ରୋଲ ରୁମ ସ୍ଥାପନ, ଅଗ୍ନିଶମ ସେବା ପ୍ରସ୍ତୁତ ରଖିବା ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର ମେଡିକାଲ ଟିମ୍ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହିତ ବାହାର ଜିଲ୍ଲାରୁ ଆସୁଥିବା ଆଶାୟୀ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ପରିଷ୍କାର ପରିଚ୍ଛନ୍ନତା, ଶୌଚାଳୟ, ମୋବାଇଲ୍ ଟଏଲେଟ୍, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ରହିବା ଓ ଖାଦ୍ୟପେୟର ବ୍ୟବସ୍ଥା ଏବଂ ଯାତାୟାତ ପାଇଁ ଆବଶ୍ୟକୀୟ ଗାଡ଼ିମୋଟର ବ୍ୟବସ୍ଥା ନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।





