ଭୁବନ, ୨୨ ଅଗଷ୍ଟ : - ଢେ଼ଙ୍କାନାଳ ଜିଲ୍ଲା ଭୁବନ ପୋଲିସ ପକ୍ଷରୁ ନିଶାମୁକ୍ତ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ପିଏମ ଶ୍ରୀ ସ୍ୱାମୀ ତ୍ରିଗୁଣାନନ୍ଦ ସରସ୍ୱତୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ସଚେତନତା ଅଭିଯାନରେ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ଯୋଗଦେଇ ନିଶା ସେବନ ଦ୍ୱାରା ଶାରୀରିକ, ମାନସିକ କୁପ୍ରଭାବ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ପାନ, ଗୁଟଖା, ବିଡି, ସିଗାରେଟ୍ ସେବନ ଦ୍ୱାରା ଅନେକ ଲୋକ ମୁଖ ଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ଓ ମଦ୍ୟପାନ ଦ୍ୱାରା ଲିଭର ନଷ୍ଟ ହେଉଛି । ନିଶାଡି ମାନେ ଅବେଳରେ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି ବୋଲି କହିବା ସହ ନିଶା ଠାରୁ ଦୂରେଇ ରହିବା ଓ ପରିବାର ଏବଂ ପଡ଼ୋଶୀରେ ପରିବର୍ତ୍ତନର ଦୂତ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏସ ଆଇ ପ୍ରଦୀପ ଭୂୟାଁ ଛାତ୍ର ଛାତ୍ରୀ ମାନଙ୍କୁ ନିଶାମୁକ୍ତ ପାଇଁ ଶପଥ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।





