ସମ୍ବଲପୁର, ୩୧ ଜୁଲାଇ - ଶୁକ୍ରବାର ସକାଳ ୯ଟା ସୁଦ୍ଧା ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରରୁ ୨ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ଦିନ୧୨ଟା ସୁଦ୍ଧା ପର୍ଯ୍ୟାୟ କ୍ରମେ ଆଉ ୧୦ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକ୍ ର ୮ଟି ଏବଂ ଡାହାଣ ପାଶ୍ୱର୍ ଡାଇକ୍ ର ୪ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।
ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଆଜି ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳ ପତନ ୬୨୪.୬୦ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୯୪ ହଜାର ୭୩୧ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୧୨ଟି ସ୍ଲୁଇସ୍ ଗେଟ୍, ସ୍ପିଲୱେ, ପାୱାର ଚେନେଲ, ଶିଳ୍ପ ବ୍ୟବହାର ଓ ବିଭିନ୍ନ କେନାଲ ଦେଇ ମୋଟ୍ ୧ ଲକ୍ଷ ୧୮ ହଜାର ୫୭୩ କ୍ୟୁସେକ୍ ବନ୍ୟାଜଳ ନିଷ୍କାସନ ହେଉଛି ।
ସେହିପରି ଗତ ୨୪ ଘଂଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ହାରାହାରି ୬.୨୬ ମି.ମି. ଏବଂ ତଳ ମୁଣ୍ଡରେ ହାରାହାରି ୩.୨୩ ମି.ମି. ବର୍ଷା ରେକର୍ଡ଼ ହୋଇଛି ।





