ଭୋଗାପୁରମ, ୦୧ ଅଗଷ୍ଟ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଲାର ଭୋଗାପୁରମରେ ୧୭,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ।
ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଭୋଗାପୁରମସ୍ଥିତ ଅଲ୍ଲୁରୀ ସୀତାରାମ ରାଜୁ ଆନ୍ତର୍ଜାତୀୟ ବିମାନବନ୍ଦରର ଯାତ୍ରୀ ଟର୍ମିନାଲର ପରିଦର୍ଶନ କରିଥିଲେ। ଏହାପରେ ସରକାରୀ-ବେସରକାରୀ ଭାଗୀଦାରି (ପିପିପି) ମଡେଲ୍ ଅଧୀନରେ ୫,୬୪୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ଏହି ଗ୍ରିନଫିଲ୍ଡ ଆନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିଥିଲେ ଏବଂ ଭୋଗାପୁରମରେ ୧୭,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରି ସେଗୁଡ଼ିକୁ ଜାତିଙ୍କୁ ସମର୍ପଣ କରିଥିଲେ।
ବାର୍ଷିକ ୬୦ ଲକ୍ଷ ଯାତ୍ରୀ କ୍ଷମତା ବିଶିଷ୍ଟ ଏହି ବିମାନବନ୍ଦରରେ କୃତ୍ରିମ ବୁଦ୍ଧିମତା (ଏଆଇ), ବାୟୋମେଟ୍ରିକ୍ ଯାତ୍ରୀ ପ୍ରକ୍ରିୟାକରଣ, ସ୍ୱୟଂଚାଳିତ ବ୍ୟାଗେଜ୍ ପ୍ରଣାଳୀ ଏବଂ ଏୟାରପୋର୍ଟ ପ୍ରେଡିକ୍ଟିଭ୍ ଅପରେଶନ୍ସ ସେଂଟର ପରି ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ଏହାର ସ୍ଥାପତ୍ୟ ଆନ୍ଧ୍ର ପ୍ରଦେଶର ପାରମ୍ପରିକ ‘ଚୁଟ୍ଟିଲୁ’ ଝୋପଡ଼ି, ଆରାକୁ ଉପତ୍ୟକା ଏବଂ ଉଡୁଥିବା ମାଛରୁ ପ୍ରେରିତ।
ପ୍ରଧାନମନ୍ତ୍ରୀ ବିଶାଖାପଟ୍ଟଣମରେ ୪୬୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଆନ୍ଧ୍ର ପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ର ମଧ୍ୟ ଶିଳାନ୍ୟାସ କରିଥିଲେ। ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍ ଅଧୀନରେ ଅନୁମୋଦିତ ଏହି ପ୍ରକଳ୍ପ ଏଏସଆଇପି ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଦକ୍ଷିଣ କୋରିଆର ଏପିଏସିଟିର ସହଯୋଗରେ ବିକଶିତ ହେଉଛି। ଏହି କାରଖାନାରେ ପ୍ରତିବର୍ଷ ପ୍ରାୟ ୯.୬ କୋଟି ସେମିକଣ୍ଡକ୍ଟର ଚିପ୍ର ଉତ୍ପାଦନ ହେବ ଏବଂ ଉଚ୍ଚ କୌଶଳସମ୍ପନ୍ନ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବ।
ଏହାଛଡ଼ା ପ୍ରଧାନମନ୍ତ୍ରୀ ପ୍ରାୟ ୫,୫୫୦ କୋଟି ଟଙ୍କା ବ୍ୟୟର କୁର୍ନୁଲ-୪ ଅକ୍ଷୟ ଶକ୍ତି କ୍ଷେତ୍ର (ଆରଇଜେଡ୍) ଫେଜ୍-୧ ଟ୍ରାନ୍ସମିଶନ୍ ପ୍ରଣାଳୀର ଶିଳାନ୍ୟାସ କରିଥିଲେ। ସେ ପ୍ରାୟ ୩,୫୫୦ କୋଟି ଟଙ୍କା ଏବଂ ୮୨୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ବିଭିନ୍ନ ବିଦ୍ୟୁତ ପାରେଷଣ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ କୁର୍ନୁଲ ଏବଂ ଅନନ୍ତପୁରର ଅକ୍ଷୟ ଶକ୍ତି କ୍ଷେତ୍ରରୁ ଉତ୍ପାଦିତ ବିଦ୍ୟୁତକୁ ଜାତୀୟ ଗ୍ରିଡ୍ ମାଧ୍ୟମରେ ସମଗ୍ର ଦେଶରେ ଅଧିକ ଭଲ ଭାବରେ ବଂଟନ କରିବା ସମ୍ଭବ ହେବ ଏବଂ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହନ ମିଳିବ।
ପ୍ରଧାନମନ୍ତ୍ରୀ ୧,୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ମଧ୍ୟ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ। ଏଥିରେ ଏନଏଚ-୩୬୫ବିଜିର ରେଚେର୍ଲା-ଗୁରୁଭାୟଗୁଡେମ ଏବଂ ଗୁରୁଭାୟଗୁଡେମ-ଦେବରାପଲ୍ଲେ ଗ୍ରିନଫିଲ୍ଡ ଚାରି ଲେନ୍ ଖଣ୍ଡ, ଏନଏଚ-୬୭ ଉପରେ ତାଡିପତ୍ରୀ ବାଇପାସ୍ ଏବଂ ଏନଏଚ-୫୬୫ ଉପରେ ଲିଙ୍ଗସମୁଦ୍ରମ ଉଚ୍ଚସ୍ତରୀୟ ସେତୁ ସାମିଲ ଅଛି। ଏହି ପ୍ରକଳ୍ପଗୁଡ଼ିକ ଫଳରେ ବିଜୟଓାଡ଼ା ସହିତ ଅନେକ ସହରରେ ଯାତାୟାତ ଚାପ କମିବ, ସଡ଼କ ସୁରକ୍ଷା ବୃଦ୍ଧି ପାଇବ ଏବଂ ବିଶାଖାପଟ୍ଟଣମ-ହାଇଦ୍ରାବାଦ ମଧ୍ୟରେ ଯାତ୍ରା ସମୟ କମିବ।





