ପୁରୀ, ୨୯ ଜୁନ୍ - ପବିତ୍ର ସ୍ନାନପୂର୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରୁ ଧାଡି ପହଣ୍ଡିରେ ସ୍ନାନବେଦୀରେ ବିରାଜମାନ କରିଛନ୍ତି । ଆଜି ମହାପ୍ରଭୁଙ୍କ ଜନ୍ମଦିନ । ସ୍ନାନ ବେଦୀରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ୩୫ ଗରା, ଶ୍ରୀବଳଭଦ୍ରଙ୍କୁ ୩୩ ଗରା, ମା ସୁଭଦ୍ରାଙ୍କୁ ୨୨ଗରା ଓ ପ୍ରଭୁ ସୁଦର୍ଶନଙ୍କୁ ୧୮ ଗରାରେ ସ୍ନାନ କରିଥିଲେ । ଅପରାହ୍ନରେ ଶ୍ରୀବିଗ୍ରହ ମାନଙ୍କୁ ଦୁର୍ଲଭ ହାତୀବେଶରେ ସଜ୍ଜିତ କରାଯାଇଥିଲା ।
ଜୟ ଜଗନ୍ନାଥ, ହରିବୋଲ ଓ ହୁଳହୁଳିରେ ଶ୍ରୀମନ୍ଦିର ବାହାର ଓ ଭିତର ପ୍ରକମ୍ପିତ ହୋଇଥିଲା । ଭିତରଚ୍ଛୁ ତଳୁଚ୍ଛ, ଦଇତାପତି, ଖୁଣ୍ଟିଆ, ପୁଷ୍ପାଳକ, ମେକାପ ସେବକ ଶ୍ରୀବିଗ୍ରହମାନଙ୍କୁ ହାତୀବେଶରେ ସଜ୍ଜିତ କରିଥିଲେ । ମହାରାଷ୍ଟ୍ରର ଗଣପତି ଭଟ୍ଟ ହାତୀବେଶ ନଦେଖି ଫେରି ଯାଉଥିବା ବେଳେ ମହାପ୍ରଭୁଙ୍କ ଶୂନ୍ୟବାଣୀ ଶୁଣି ଗଣପତି ଫେରିଆସି ସ୍ନାନ ବେଦୀରେ ହାତୀବେଶ ଦେଖି କୃତ୍ଯ କୃତ୍ଯ ହୋଇଯାଇଥିଲେ । ସେହିଦିନ ଠାରୁ ପ୍ରଭୁଙ୍କୁ ହାତୀବେଶ କରାଯାଉଛି । ସ୍ନାନ ବେଦୀରେ ପ୍ରଭୁଙ୍କୁ ଗଜାନନ ବେଶରେ ଦର୍ଶନ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ରାଘବଦାସ ମଠ ପକ୍ଷରୁ ଏହି ହାତୀବେଶ ସରଞ୍ଜାମ ଅର୍ପଣ କରାଯାଇଥିଲା । ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସୋଲ, ଜରି ଜମ୍ବୁରା, କଦଳୀ ପାଟୁକା, କଇଥ ଅଠାରେ କାରିଗର ମାନେ ହାତୀବେଶ ପ୍ରସ୍ତୁତ କରିଥିଲେ । କିଆଫଳି, ଚନ୍ଦ୍ର ସୂର୍ଯ୍ଯ, ଡାଳି, କାନ, ଥୋଡ, ହାଣ୍ଡିଆ ଆଦି ହାତୀବେଶରେ ବ୍ଯବହୃତ ହୋଇଥିଲା । ସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଗୁମୁଟ, ସ୍ନାନବେଦୀ, ମନ୍ଦିର ଚାରିଦ୍ଵାର ସୁବାସିତ ପୁଷ୍ପରେ ସଜ୍ଜିତ ହୋଇଥିଲା । ଶ୍ରୀମନ୍ଦିର ଚାରିପଟ ଉଜ୍ଜ୍ବଳ ଆଲୋକରେ ଆଲୋକିତ ହେବା ସହ ସ୍ନାନବେଦୀରେ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା । ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ଯାରିକେଡ ଭିତରେ ଭକ୍ତ ମାନେ ଧାଡିରେ ଯାଇ ଦର୍ଶନ କରିବା ସହ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରୁଥିଲେ ।
ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପାଣି ବଣ୍ଟନ ଓ ପାଣି ଛିଞ୍ଚନ କରାଯାଇଥିଲା । ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ କରି ମହା ଆନନ୍ଦିତ ହୋଇଥିଲେ । ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ଏସପି ପ୍ରତୀକ ସିଂଙ୍କ, ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡଃ. ଅରବିନ୍ଦ ପାଢୀଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିତ ସହଯୋଗରେ ମହାପ୍ରଭୁଙ୍କ ହାତୀବେଶ ଶୃଙ୍ଖଳିତ ଭାବେ ଦର୍ଶନ କରିଥିଲେ ଭକ୍ତ ଓ ଶ୍ରଦ୍ଧାଳୁ ।
ସ୍ନାନ ଯାତ୍ରାପାଇଁ ବଡ଼ଦାଣ୍ଡ ଶ୍ରଦ୍ଧାଳୁଙ୍କ ସମାଗମରେ ପୁରୀ ଉଠିଥିଲା । ବେଶ ଓଲାଗି ହେବା ପରେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରାଯାଇ ଅଣସର ପିଣ୍ଡିରେ ରଖାଯାଇଥିଲା। ଅଣସର ପିଣ୍ଡିରେ ରହିବା ପରେ ପାରମ୍ପରିକ ରାତି ଅନୁଯାୟୀ ପଟି ଦିଅଁଙ୍କୁ ପଟୁଆରରେ ଅଣାଯାଇ ଅଣସର ପିଣ୍ଡି ସମ୍ମୁଖରୁ ଦଶବତାର ପଟି ନିକଟରେ ଏହି ପଟି ଦିଅଁଙ୍କୁ ରଖାଯାଇଥିଲା । ଆସନ୍ତାକାଲି ଠାରୁ ଏହି ପଟିଦିଅଁଙ୍କ ସମ୍ମୁଖରେ ସମସ୍ତ ରୀତିନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।




